ଭବାନୀପାଟଣା: ଆସନ୍ତା ଅଗଷ୍ଟ ୩୧ ତାରିଖ ଗୁରୁବାର ଦିନ ଉତ୍କେଲା ବିମାନବନ୍ଦରର ଶୁଭ ଉଦ୍ଘାଟନ ହେବ । ଭୁବନେଶ୍ୱରରୁ ଉତ୍କେଲାକୁ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ିବ । ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଚୂଡାନ୍ତ କାର୍ଯ୍ୟକ୍ରମ ପ୍ରକାଶ ପାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ କ୍ୟାବିନେଟ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡଃ ଭି କେ ସିଂ ପ୍ରମୁଖ ଭରଚୁଆଲ ମୋଡ୍ରେ ଏହାର ଉଦ୍ଘାଟନ କରିବେ । ଏହି ଅବସରରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଇଣ୍ଡିଆ ୱାନ ଏୟାରର କର୍ମକର୍ତ୍ତା ଉତ୍କେଲା ଏୟାରପୋର୍ଟରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।
ଆନୁଷ୍ଠାନିକ ଭାବରେ ସଭାପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସକାଳ ୧୦ ଟା ୨୫ରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୦ଟା ୩୦ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଉତ୍କେଲା ଆସିବାକୁ ଥିବା ପ୍ରଥମ ଯାତ୍ରୀବାହୀ ବିମାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ପରେ ସକାଳ ୧୦ ଟା ୩୫ ମିନିଟରେ ଭୁବନେଶ୍ୱରରୁ ପ୍ରଥମ ଯାତ୍ରୀବାହୀ ବିମାନ ଉତ୍କେଲା ଅଭିମୁଖେ ଉଡ଼ାଣ ଭରିବ । ଏଥିପାଇଁ ଉତ୍କେଲା ଏୟାରପୋର୍ଟରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୨୯ ତାରିଖ ସକାଳେ ଭୁବନେଶ୍ୱରରୁ ଏକ ଯାତ୍ରୀବାହୀ ବିମାନ ପରୀକ୍ଷାମୂଳକ ଭାବେ ବା ଟ୍ରାଏଲ୍ ରନ୍ରେ ଆସିବ । ଏହି ବିମାନ ସକାଳ ୯. ୨୦ ମିନିଟରେ ଉତ୍କେଲାରେ ଅବତରଣ କରି ୧୦ଟା ୫୦ ମିନିଟରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ତେବେ ଆସନ୍ତା ୩୧ ତାରିଖଠାରୁ ଉତ୍କେଲାରୁ ନିୟମିତ ଯାତ୍ରୀବାହୀ ବିମାନ ଉଡ଼ିବା ଖବର ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି କରିଛି ।