ଅଯୋଧ୍ୟାରେ ପହଞ୍ଚିଲେ ଅମିତାଭ ବଚ୍ଚନ

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟା ଆଜି  ସଜେଇ ହୋଇଛି। ଆଜି ଭାରତବର୍ଷ ରାମଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି। ରାମମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ରାମ ଭକ୍ତଙ୍କ ପ୍ରାୟ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାମମନ୍ଦିରର ଉଦ୍‌ଘାଟନ କରିବେ। ଅପରାହ୍ନ ୧୨.୨୦ରେ ରାମମନ୍ଦିରର ପ୍ରତିଷ୍ଠା ଆରମ୍ଭ ହେବ। ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ୟ୍ୟ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟା ଆସୁଛନ୍ତି।

ଇତିମଧ୍ୟରେ ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। କେବଳ ଏତିକି ନୁହେଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଅଭିନେତା ବିକି କୌଶଲ ମଧ୍ୟ ମୁମ୍ବାଇରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ସେହିପରି ମାଧୁରୀ ଦୀକ୍ଷିତ, ହେମାମାଳିନୀ ବି ଅଯୋଧ୍ୟା ଆସୁଛନ୍ତି।

ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଆଉ ମାତ୍ର କିଛି ସମୟ ପରେ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ରାମଲାଲାଙ୍କ ଏହି ଭବ୍ୟ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ଐତିହାସିକ ମୁହୂର୍ତ୍ତକୁ କେବଳ ଅଯୋଧ୍ୟାବାସୀ ନୁହନ୍ତି, ବରଂ ସାରା ଦେଶରେ ରାମ ଶ୍ରଦ୍ଧାଳୁ ଚାତକ ଭଳି ଚାହିଁ ବସିଥିଲା ବେଳେ ବିଭିନ୍ନ ମନ୍ଦିର, ମଠ ଏବଂ ଧାର୍ମିକସ୍ଥଳଗୁଡିକରେ ପୂଜାପାଠ ଏବଂ ସାଜସଜ୍ଜା କରାଯାଇଛି।

ଭାରତ ବ୍ୟତୀତ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଣ୍ଡୋନେସିଆ, ମ୍ୟାଁମାର, ଥାଇଲାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣି କୋରିଆ, ନେପାଳ ଭଳି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ରାମଶ୍ରଦ୍ଧାଳୁମାନଙ୍କ ଦ୍ବାରା ବହୁ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ତେବେ ଏହିକ୍ରମରେ ଅଯୋଧ୍ୟା ନଗରୀ ରାମମୟ ହୋଇପଡ଼ିବା ସହିତ ରବିବାର ଠାରୁ ଦେଶର ବିଭିନ୍ନ ଭାଗରୁ ହଜାର ହଜାର ଭକ୍ତ , ସାଧୁସନ୍ଥ ଏବଂ ଆମନ୍ତ୍ରିତ ଅତିଥିଙ୍କ ସୁଅ ଛୁଟିଛି। ଏହି ଭବ୍ୟ ଉତ୍ସବ ଯୋଗ ଦେବା ଲାଗି ଆମନ୍ତ୍ରିତ ହୋଇଥିବା ବହୁ ବଲିଉଡ୍‌ ଫିଲ୍ମଷ୍ଟାରଙ୍କ ଠାରୁ ଆରମ୍ଭ କରି ସଙ୍ଗୀତ ନିର୍ଦ୍ଦେଶକ, କ୍ରିକେଟିୟର,ରାଜନେତା ଏବଂ ବିଦେଶାଗତ ପ୍ରତିନିଧି  ଅଯୋଧ୍ୟାରେ ପହଞ୍ଚିଛନ୍ତି। ଆଲୋକମାଳା ଏବଂ ପୁଷ୍ପମାଳାରେ ଝଲସୁଥିବା ସାରା ଅଯୋଧ୍ୟା ସହର ଏବେ ଅତିଥିମାନଙ୍କ ଉପସ୍ଥିତିରେ ଆହୁରି ଚଳଚଞ୍ଚଳ ହୋଇପଡ଼ିଛି।

Comments (0)
Add Comment