ଅଷ୍ଟ୍ରେଲିଆକୁ ଷଷ୍ଠ ଥର ବିଶ୍ବକପ୍‌

ଅହମଦାବାଦ:ବଡ଼ ମ୍ୟାଚ୍‌ ଚାପରେ ଚାପି ହୋଇଯିବାର ଧାରା ଜାରି ରହିଲା। ୨୦୦୩ ବିଶ୍ବକପ୍‌ ଫାଇନାଲ୍ ପରାଜୟର ପ୍ରତିଶୋଧ ସମ୍ଭବ ହୋଇପାରିଲା ନାହିଁ। ୧୨ ବର୍ଷ ପରେ ବିଶ୍ବକପ୍‌ ଏବଂ ୧୦ ବ‌ର୍ଷ ପରେ ଏକ ଆଇସିସି ଟ୍ରଫି ଜିତିବାର ସ୍ବପ୍ନ ପୂରଣ ହୋଇପାରାଲାନି। ୧୫୦ କୋଟି ଭାରତୀୟଙ୍କ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଗଲା। ଉତ୍ସାହ, ଉନ୍ମାଦନା, ଉତ୍କଣ୍ଠା ଓ ଉଲ୍ଲାସର ମାହୋଲ ହଠାତ୍‌ ନିରାଶା, ଲୁହ ଓ କୋହରେ ପରିଣତ ହୋଇଗଲା। ଦେଢ଼ ମାସ ଧରି ଭାରତକୁ କବଳିତ କରିଥିବା କ୍ରିକେଟ୍‌ ଜ୍ବର ବି ଗୋଟିଏ ରାତିରେ ଶେଷ ହୋଇଗଲା।ମୋଟେରାର ନେରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରେ ରବିବାର ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ବକପ୍‌ର ଫାଇନାଲ୍‌ରେ ଭାରତକୁ ଏକତରଫା ଭାବେ ୬ ୱିକେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ବ ବିଜୟୀ ମୁକୁଟ ଅର୍ଜନ କରିଛି। ଅଷ୍ଟ୍ରେଲିଆ ଅଧିକ ପେସାଦାର ଓ ବଡ଼ ମ୍ୟାଚ୍‌ ଖେଳିବାକୁ ଧୂରନ୍ଧର ବୋଲି ଥିବା ରେକର୍ଡକୁ ପୁଣିଥରେ ପ୍ରମାଣିତ କରିଛି। ରବିବାର ରାତିରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଥିଲେ। ଟ୍ରାଭିସ୍ ହେଡ୍‌ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ବିରାଟ କୋହଲି (୭୬୫ ରନ୍‌) ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି। ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର, ବିସିସିଆଇ ସଭାପତି ରୋଜର ବିନ୍ନି ଏବଂ ସମ୍ପାଦକ ଜୟ ଶାହା ଉପସ୍ଥିତ ଥିଲେ।

Comments (0)
Add Comment