ଆଇବିଏସ୍‌ ୱାର୍ଲ୍ଡ ଗେମ୍ସ ୨୦୨୩: ଭାରତ ମହିଳା ଦୃଷ୍ଟିହୀନ କ୍ରିକେଟ୍‌ ଦଳ ସ୍ୱର୍ଣ୍ଣ ପଦକ ହାସଲ କଲା

ମହିଳା ଦୃଷ୍ଟହୀନ କ୍ରିକେଟ୍‌ରେ ବିଶ୍ୱ ସ୍ତରୀୟ ମ୍ୟାଚ୍‌ ୨୦୨୩ ର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨୬ ଅଗଷ୍ଟ ଶନିବାର ଦିନ ଇଂଲଣ୍ଡର ଏଜବାଷ୍ଟନ୍‌ ଠାରେ ହେଉଥିବା ମ୍ୟାଚ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଏହା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ୨୦୨୩ ରେ ପ୍ରଥମ କ୍ରିକେଟ୍‌ ଇଭେଣ୍ଟରେ ଖେଳୁଥିବା ଭାରତୀୟ ମହିଳା ଦୃଷ୍ଟିହୀନ ଦଳ ଅଷ୍ଟ୍ରେଲିଆକୁ ଟି-ଟ୍ୱେଣ୍ଟି ମ୍ୟାଚରେ ଡକ୍‌ ୱକ୍‌ ଲୁଇସ୍‌ ପଦ୍ଧତିରେ ନଅ ୱିକେଟ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ପ୍ରଥମ ଥର ପାଇଁ କ୍ରିକେଟ୍‌ ଆଇବିଏସ୍‌ ବିଶ୍ୱ ଗେମ୍ସରେ ଅନ୍ତର୍ଭୁକ୍ତ ହୋଇ ଭାରତର ଉଭୟ ପୁରୁଷ ଏବଂ ମହିଳା ଦୃଷ୍ଟିହୀନ ଦଳ ଇତିହାସ ସୃଷ୍ଟି କରି ଫାଇନାଲରେ ପ୍ରବେଶ କରିଥିଲେ । ଭାରତୀୟ ମହିଳା ଦଳ ବିଶ୍ୱ ସ୍ତରରେ ପ୍ରଭାବଶାଳୀ ଚମତ୍କାର ପ୍ରଦର୍ଶନ ସହିତ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶକୁ ଗର୍ବିତ କରିଛି ।
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଆଠ ୱିକେଟ୍‌ ରେ ମାତ୍ର ୧୧୫ ରନ୍‌ ସ୍କୋର କରିବାରେ ସଫଳ ହୋଇଥିଲା । ମିଡିଲ୍‌ ଅର୍ଡରରେ ଲୁଇସ୍‌ ୨୮ ବଲରୁ ୨୯ ରନ୍‌ ସଂଗ୍ରହ କରିଥିଲେ ଏବଂ ୱେବକ୍‌ ୨୬ ଟି ବଲରୁ ଅପରାଜିତ ୩୦ ରନ୍‌ ସହ ଅଷ୍ର୍ଟ୍ରେଲିଆକୁ ଏକ ଚ୍ୟାଲେଞ୍ଜିଂ ମୋଟ ସ୍କୋର କରିବାରେ ସାହାଯ୍ୟ କରିଥିଲେ । ଭାରତ ପାଇଁ ଦୀପିକା, ଡେଭିସ୍‌ ଏବଂ ଟୁଡୁ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ଅବଶିଷ୍ଟ ପାଞ୍ଚଟି ୱିକେଟ୍‌ ରନ୍‌ ଆଉଟ୍‌ ହୋଇଯାଇଥିଲା ।
ଏହି ସମୟରେ, ଭାରତର ଖେଳ ଆରମ୍ଭ ହେଲାବେଳେ ବର୍ଷା ଖେଳକୁ ବାଧା ଦେଇଥିଲା । ଭାରତ ଓପନର୍‌ ନୀଲାପ୍ପାଙ୍କୁ ମାତ୍ର ଆଠ ରନ୍‌ରେ ହରାଇଲା କିନ୍ତୁ ଦୀପିକା ୧୧ ବଲ୍‌ରୁ ୧୮ ସ୍କୋର କରି ୩.୩ ଓଭରରେ ଦଳକୁ ୪୩ ରନ୍‌ରେ ପହଞ୍ଚାଇଥିଲେ । ଭାରତ ଡିଏଲଏସ୍‌ ପଦ୍ଧତିରେ ଏହି ଖେଳ ଜିତିଥିଲା ଏବଂ ପଦାର୍ପଣ ମ୍ୟାଚ୍‌ରେ ହିଁ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ହୋଇ ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଦଳ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ସେମାନଙ୍କ ନାମ ଲିପିବଦ୍ଧ କରାଇଛନ୍ତି ।

Comments (0)
Add Comment