ବାରଙ୍ଗ: ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଆଫ୍ରିକୀୟ ସିଂହୁଣୀ ‘ବିନି’ ର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତାକୁ ୧୭ ବର୍ଷ ବୟସ ହୋଇଥିଲା। ବିନିର ମୃତ୍ୟୂ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ। ୨୦୧୫ ମସିହାରେ ବିନିକୁ ଇସ୍ରାଏଲରୁ ଅଣାଗଲାବେଳେ ତାର ବୟସ ୮ ବର୍ଷ ଥିଲା। ସେତେବେଳେ ବିନି ସମେତ ୪ଟି ସିଂହ ଓ ୪ଟି ଜେବ୍ରା ମଧ୍ୟ ଆସିଥିଲେ। କିନ୍ତୁ କାଳକ୍ରମେ ଆଫ୍ରିକୀୟ ସିଂହ ଓ ଜେବ୍ରାଙ୍କ ମୃତ୍ୟୁ ହୋଇଥିଲା। ଶେଷକୁ ବିନି ହିଁ ଏକମାତ୍ର ଆଫ୍ରିକୀୟ ସିଂହ ଥିଲା। ବାର୍ଦ୍ଧକ୍ୟ ହେତୁ ବିନିର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଥିଲା ଏବଂ ଭଲରେ ଖିଆପିଆ ନ କରିପାରି ସେ ଧୀରେଧୀରେ ଦୁର୍ବଳ ହୋଇପଡ଼ିଥିଲା। ତାକୁ ୨୯ ନମ୍ବର ଖୁଆଡ଼ର ଖାଦ୍ୟ ଗ୍ରହଣ କକ୍ଷରେ ରଖି ଚିକିତ୍ସା କରାଯାଉଥିଲା। ସ୍ୱାସ୍ଥ୍ୟ କମିଟିର ବିଶେଷଜ୍ଞମାନେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। ତାକୁ କୁକୁଡା ମାଂସ ଗୁଣ୍ଡ କରି ଖାଇବାକୁ ଦିଆଯାଉଥିଲା ଏବଂ ଅଣ୍ଡାରେ ମିଶାଇ ବିଭିନ୍ନ ଔଷଧ ଦିଆଯାଉଥିଲା। ବିନିର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୪ଟି ଏସୀୟ (୮ ସିଂହ ଓ ୬ ସିଂହୁଣୀ ) ଓ ୭ଟି ବର୍ଣ୍ଣଶଙ୍କର ( ୪ସିଂହ ଓ ୩ ସିଂହୁଣୀ)ଙ୍କୁ ମିଶାଇ ମୋଟ ୨୧ଟି ସିଂହ ଅଛନ୍ତି।