ଆଜିଠାରୁ ୧୦୯୮ ନୁହେଁ ଡାଏଲ କରନ୍ତୁ ୧୧୨

ଖୋର୍ଦ୍ଧା: ଆଜିଠାରୁ ଆଉ କାମ କରିବନି ୧୦୯୮ ଟୋଲ ଫ୍ରି ନମ୍ବର । ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ନିୟୋଜନ ଆଦି ରୋକିବା, ଅନାଥ ଶିଶୁଙ୍କୁ ଉଦ୍ଧାର କରି ପ୍ରଶାସନ ହେଫାଜତରେ ଦେବା ଆଦି କାମରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଚାଇଲ୍‌ଡଲାଇନ୍‌ ଫାଉଣ୍ଡେସନ୍‌ ସେପ୍ଟମ୍ବର ୧ ତାରିଖ ଠାରୁ କାର୍ଯ୍ୟ କରିବ ନାହିଁ ବୋଲି ନିକଟରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ବିଜ୍ଞପ୍ତି ଅନୁସାରେ, ଚାଇଲ୍‌ଡଲାଇନ୍‌ ଫାଉଣ୍ଡେସନ୍‌ ଓ ଏହାର ଟୋଲ୍‌ ଫ୍ରି ନମ୍ବର ୧୦୯୮କୁ ବନ୍ଦ କରିଦିଆଯାଇଛି । ଏହା ବଦଳରେ, ରାଜ୍ୟସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଏହାର ଟୋଲ୍‌ଫ୍ରି ନମ୍ବର ୧୧୨ କାର୍ଯ୍ୟ କରିବ । ଚାଇଲ୍‌ଡଲାଇନ୍‌ ଫାଉଣ୍ଡେସନ ବନ୍ଦ ହୋଇଯିବା ଫଳରେ ଏଥିରେ କାମ କରୁଥିବା ଖୋର୍ଦ୍ଧା ଜିଲ୍ଲାର ୨୨ ଜଣ କର୍ମଚାରୀ ଓ ସମଗ୍ର ରାଜ୍ୟର ପ୍ରାୟ ୫ଶହ କର୍ମଚାରୀ ନିଯୁକ୍ତି ହରାଇଛନ୍ତି । ଅପରପକ୍ଷରେ, ଚାଇଲ୍‌ଡଲାଇନ୍‌ ଫାଉଣ୍‌ଡେସନ ଯେଉଁ କାମ କରୁଥିଲା ତାହା ବର୍ତମାନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଚାଇଲ୍‌ଡଲାଇନ୍‌ର କର୍ମଚାରୀଙ୍କୁ ଶିଶୁ ସୁରକ୍ଷା ୟୁନିଟ୍‌ରେ ସାମିଲ କରିବା ବଦଳରେ ଆବଶ୍ୟକ ପଡୁଥିବା ଅତିରିକ୍ତ କର୍ମଚାରୀଙ୍କ ପାଇଁ ନୂତନ ନିଯୁକ୍ତି ପ୍ରକ୍ରିୟାରେ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

Comments (0)
Add Comment