ଆଜିଠୁ କାଳିଆ ଛାତ୍ରବୃତ୍ତି ଆବେଦନ

ଭୁବନେଶ୍ୱର: କାଳିଆ ଛାତ୍ରବୃତ୍ତି ପାଇଁ ମଙ୍ଗଳବାର ଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ କମନ ସ୍କଲାରସିପ ପୋର୍ଟାଲରେ ଅନ୍‌ଲାଇନ୍‌ରେ ୩୧ ତାରିଖ ପର୍ୟ୍ୟନ୍ତ ଆବେଦନ କରିପାରିବେ। ଅନ୍‌ଲାଇନ୍‌ରେ କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ ଓ ନବୀକରଣ ନିମନ୍ତେ ବର୍ଷକୁ ଦୁଇଥର ପୋର୍ଟାଲ ଖୋଲାରହିବ। କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହା ଦ୍ୱାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛି।
ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ ବ୍ୟତୀତ ଅଲ୍‌ଇଣ୍ଡିଆ ସର୍ଭେ ଅନ୍‌ ହାୟର ଏଜୁକେସନ୍‌ କୋଡ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ଓ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ସାମିଲ କରାଯାଇଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ସୋମବାର ବିଭାଗ ପକ୍ଷରୁ କୃଷି ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରି କହିଛନ୍ତି, ଗ୍ରାଜୁଏସନ୍‌ ପାଠ୍ୟକ୍ରମରେ ବିବିଏ ଓ ବିସିଏ ପାଠ୍ୟକ୍ରମ ସାମିଲ କରାଯାଇଛି ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମ ଯଥା- ଏମ୍‌.ଟେକ୍‌, ଏମ୍‌ଏସ୍‌ (ଏଗ୍ରି), ଏମ୍‌ଏସ୍‌ସି (ଫରେଷ୍ଟ୍ରି), ମେଡିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଫାର୍ମ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି। ପିଏଚ୍‌ଡି ପାଠ୍ୟକ୍ରମକୁ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି ଏବଂ ଏହି କାର୍ୟ୍ୟକ୍ରମ ସମ୍ପୃକ୍ତ ତାଲିକାଭୁକ୍ତ ପିଜି ପାଠ୍ୟକ୍ରମ ଅନ୍ତର୍ଗତ ହୋଇଥିବା ଆବଶ୍ୟକ।

ଏଥିପାଇଁ ସର୍ବାଧିକ ୪ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ ଏବଂ ଏହା କେବଳ ରାଜ୍ୟ ଭିତରର ସରକାରୀ ଶିକ୍ଷାନୁଷ୍ଠାନ କ୍ଷେତ୍ର ପାଇଁ ଲାଗୁ ହେବ। ରାଜ୍ୟ ତଥା ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ ଯଥା-ଏନ୍‌ଆଇଟି, ଆଇଆଇଟି, ଆଇଆଇଏମ୍‌, ଏମସ୍‌, ଆଇସିଏଆର୍‌, ଆଇଏଆର୍‌ଆର୍‌, ଆଇଭିଆର୍‌ଆଇ, ସିଆଇଏଫ୍‌ଇ, ଏନ୍‌ଡିଆର୍‌ଆଇ, ଆଇଜର, ନାଇଜର ଆଦି ଶିକ୍ଷାନୁଷ୍ଠାନମାନଙ୍କରେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

Comments (0)
Add Comment