ରାଜନଗର: ଆଜିଠୁ ଖୋଲିଲା ଭିତରକନିକା । ଜାନୁଆରୀ ୫ରୁ ୧୩ ତାରିଖ ପର୍ୟ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ୟ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା ।
ଗତ ୧୦ରୁ ୧୨ ତାରିଖ ପର୍ୟ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା ଚାଲିଥିଲା । ବଉଳାକୁମ୍ଭୀରଙ୍କ ଭୂସ୍ୱର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୯୩ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତବର୍ଷ ଠାରୁ ଚଳିତ ବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି।