ଆଜି ଶପଥ ନେବେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଦିନ ୧୧ଟା ୪୫ ମିନିଟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶ୍ରୀ ଦାସ ସୋମବାର ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜଭବନରେ ସ୍ୱାଗତ କରିଥିଲେ। ତାଙ୍କ ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ସଚିବ ପ୍ରଦୀପ ଜେନା, ପୁଲିସ ମହା ନିର୍ଦେଶକ ସୁନିଲ ବଂଶଲ ପ୍ରମୁଖ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ । ରାଜଭବନରେ ସମସ୍ତଙ୍କୁ ଗାର୍ଡଅଫଅନର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଓଡ଼ିଶାର ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ୱାର ୨୪ ଘଣ୍ଟା ଖୋଲା ରହିବ ବୋଲି ନୂଆ ରାଜ୍ୟପାଳ କହିଛନ୍ତି। ସୋମବାର ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ସେ ଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି। ସେ କହିଲେ ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ସରକାରୀ ଯୋଜନା ଯେପରି ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥିପ୍ରତି ସେ ଗୁରୁତ୍ୱ ଦେବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି। ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ରହି ସେ କାର୍ଯ୍ୟ କରିବେ। ଶୋଷିତ ଓ ବଞ୍ଚିତଙ୍କ ପାଖରେ ଯେପରି ସବୁ ସରକାରୀ ଯୋଜନା ପହଞ୍ଚିବ ସେଥିପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ। ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମୁହଁରେ ଯେପରି ହସ ଫୁଟିବ ସେଥିନେଇ ଉଦ୍ୟମ କରିବେ ବୋଲି କହିଛନ୍ତି ରଘୁବର ।
ଶ୍ରୀମନ୍ଦିର ଦାରୁବ୍ରହ୍ମଙ୍କୁ ଦର୍ଶନ ବେଳେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର, ବିଜେପି ଜାତୀୟ ପରିଷଦ ସଭ୍ୟ ମଧୁସୂଦନ ସିଂହାରୀ, ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ରାଜ୍ୟପାଳ ଶ୍ରୀଦାସ ଓ ତାଙ୍କ ଧର୍ମପତ୍ନୀଙ୍କୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ରାଜ୍ୟପାଳ ଶ୍ରୀଦାସ ସକାଳେ ପୁରୀରେ ଆସି ପହଞ୍ଚିବା ପରେ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ପୁଷ୍ପଗୁଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ।

Comments (0)
Add Comment