ଭୁବନେଶ୍ୱର: ଗୋଟିଏ ପଟେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ । ସେଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି ରାଜ୍ୟ କଂଗ୍ରେସ । ଅନ୍ୟପଟେ ନୂଆ ପ୍ରଭାରୀ ଆସୁଥିବାରୁ ତାଙ୍କର ସ୍ୱାଗତ ପାଇଁ କଂଗ୍ରେସ ଭବନକୁ ସଜା ଯାଉଛି । ଏହି ଅବସରରେ ଦଳକୁ ଏକଜୁଟ କରିବାକୁ ଅଭିଯାନ ଆରମ୍ଭ ହୋଇଛି । ବରିଷ୍ଠ ନେତା ମହମ୍ମଦ ମୋକିମ୍, ଚିରଂଜୀବ ବିଶ୍ୱାଳ ଓ ଶ୍ରୀକାନ୍ତ ଜେନାଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । ଅନ୍ୟପଟେ କୋରାପୁଟରେ ପ୍ରଭାବ ଥିବା ଗମାଙ୍ଗ ପରିବାର ଘରବାହୁଡ଼ା କରିବେ ବୋଲି ଜଣାପଡିଛି ।
୬ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର । ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବଡ଼ ଆୟୋଜନ କରୁଛି ଦଳ । ସଜେଇ ହେଉଛି କଂଗ୍ରେସ ଭବନ । ରାଜ୍ୟରେ ଦଳ କିପରି ଏକଜୁଟ ହୋଇ ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବ, ଏଥିପାଇଁ ଆରମ୍ଭ ହୋଇଯାଇଛି ଅଭିଯାନ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ବରିଷ୍ଠ ନେତା ଶ୍ରାକାନ୍ତ ଜେନାଙ୍କ ଉପରୁ ଶୀଘ୍ର ନିଲମ୍ବନ ଉଠିବ ବୋଲି କହିଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା । ନୂଆ ପ୍ରଭାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୁଣା ନେତାଙ୍କ ଘରବାହୁଡ଼ା ଓ ନିଲମ୍ବିତ ନେତାଙ୍କୁ ପୁଣି ଦଳରେ ସକ୍ରୀୟ କରିବା ପାଇଁ କସରତ ଆରମ୍ଭ ହୋଇଛି ।
ଘରବାହୁଡ଼ା ପାଇଁ ପ୍ରସ୍ତୁତ ହେଉଛନ୍ତି କୋରାପୁଟରେ ରାଜନୀତିରେ ପ୍ରଭାବ ରହିଥିବା ଗମାଙ୍ଗଙ୍କ ପୂରା ପରିବାର । ପୂର୍ବତନ କୋରାପୁଟ ସାଂସଦ ତଥା ଗୁଣୁପୁର ବିଧାୟକା ରହିଥିବା ହେମା ଗମାଙ୍ଗ ଆସନ୍ତା ୭ ତାରିଖରେ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେବେ । ଏଥିପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଆଲୋଚନା ହୋଇସାରିଛି ବୋଲି କହିଛନ୍ତି ହେମା । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ମିଶିବା ପାଇଁ ଅପେକ୍ଷା କରିଛନ୍ତି ।
ସେହିପରି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ସଂଜୟ ଭୋଇ ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆ ମଧ୍ୟ ଖୁବଶୀଘ୍ର କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।