ଓଏଏସସ୍ତରରେ ବଦଳି

ଭୁବନେଶ୍ୱର:  ରାଜ୍ୟ ସରକାର ୪ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି । ସୁବର୍ଣ୍ଣପୁର, ନୟାଗଡ଼, ବଲାଙ୍ଗିର ଓ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି ହୋଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଉ ଜଣେ ଓଏଏସ୍ ଅଫିସରଙ୍କୁ ଉପପ୍ରଶାସକ ଭାବେ ନିଯୁକ୍ତି ମିଳିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ସୂର୍ୟ୍ୟନାରାୟଣ ଦାସଙ୍କୁ ପଂଚାୟତିରାଜ  ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରିଛନ୍ତି। ସେହିପରି ନୟାଗଡ଼ ଜିଲ୍ଲାପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଅଫିସର ସୁଚାରୁ କୁମାର ବଳଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେଠାରେ ଥିବା ବରିଷ୍ଠ ଓଏଏସ୍ ଲମ୍ବୋଧର ଧରୁଆଙ୍କୁ ନୂଆପଡ଼ା ଜିଲ୍ଲା ପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ସେହିପରି ଯାଜପୁର ଉପଜିଲ୍ଲାପାଳ ଗୋପିନାଥ କହଁରଙ୍କୁ ପୁରୀ ଉପଜିଲ୍ଲାପାଳ ଓ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କୁ ଭଦ୍ରକ ସିଡିଏମଓ କାର୍ୟ୍ୟାଳୟର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛି।

ସେହିପରି ପୁରୀ ଉପଜିଲ୍ଲାପାଳ ଓଏଏସ୍ ଅଫିସର ଭାବତରଣ ସାହୁଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଉପପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି । ବଲାଙ୍ଗିର ତହସିଲଦାର ଅମିତ୍ କୁମାର ନାୟକଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।

Comments (0)
Add Comment