ନୂଆଦିଲ୍ଲୀ: ଓଡ଼ିଶାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଟେଣ୍ଡର ପାଇବା ପାଇଁ ୧୯ ଲକ୍ଷ ୯୬ ହଜାର ଟଙ୍କାର ଲାଞ୍ଚକାରବାର କରୁଥିବା ସମୟରେ ସିବିଆଇ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସିବିଆଇ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ସୂଚନା ମୁତାବକ, କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ବିଭାଗ ଅଧିନରେ ଆଦିବାସୀ ପିଲାମାନଙ୍କର ପାଠ ପଢ଼ିବା ପାଇଁ ଓଡ଼ିଶାରେ ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାର ଟେଣ୍ଡର ପାଇଁ ସରକାରୀ କର୍ମଚାରୀମାନଙ୍କର ଲାଞ୍ଚ ମଗାଯାଇଥିଲା । ଯାହାକୁ କଲିକତାର ବ୍ରିଜ୍ ଆଣ୍ଡ ରୁଫ୍ (ଇଣ୍ଡିଆ) ଲିମିଟେଡ୍ ନାମକ ଘରୋଇ କମ୍ପାନୀ ଯୋଗାଡ କରିଥିଲା ଓ ଜଣେ ମଧ୍ୟସ୍ଥି ଜରିଆରେ ହେଉଥିବା ଏହି ଲାଞ୍ଚ କାରବାର ଚାଲିଥିବାବେଳେ ସିବିଆଇ ଦୁଇଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୯ ଲକ୍ଷ ୯୬ ହଜାର ଟଙ୍କା ଜବତ କରାଯାଇଛି । ସ୍କୁଲ ଟେଣ୍ଡର ମାମଲାରେ ଦୁର୍ନୀତି ଅଭିଯୋଗରେ ଦେଶର ୬ଟି ବଡ ବଡ ସହର କୋଲକାତା, ଦିଲ୍ଲୀ, ନୋଏଡା, ମୁମ୍ବାଇ, ନାଗପୁର, ରାଜକୋଟରେ ସିବିସିଆଇ ଏକକାଳୀନ ଚଢାଉ କରି ଏହି ସ୍ଥାନ ଗୁଡିକରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଡିଜିଟାଲ ପ୍ରମାଣ ଏବଂ ନଗଦ ୨୬.୬୦ ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ମିଳିଛି ।