ନୂଆଦିଲ୍ଲୀ: ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନେ ହେଉଛନ୍ତି ଶଶିଶେଖର କରଶର୍ମା ଓ ସୁବାସ ଚନ୍ଦ୍ର ରାଉତ । ଶଶିଶେଖର କରଶର୍ମା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସୁବାସ ଚନ୍ଦ୍ର ରାଉତ ଜଗତସିଂହପୁର ଜିଲ୍ଲାର ଜଗତ୍ସିଂହପୁର ବ୍ଲକ ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି । ଆସନ୍ତା ମାସ ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁଦିବସ ଏବଂ ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କର ଜନ୍ମଦିବସ ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ଦୁଇଜଣ କୃତୀ ଶିକ୍ଷକଙ୍କୁ ସମ୍ମାନିତ କରିବେ ।