ଭୁବନେଶ୍ୱର: ଓଡ଼ିଶାରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ଏହି କେନ୍ଦ୍ର ଗଡ ଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବ । ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ, ଗବେଷଣା ଓ ଛାତ୍ରବୃତ୍ତି ବ୍ୟବସ୍ଥା ମଧ୍ୟ ରହିବ । ୫ଟି ସଚିବଙ୍କର ଖୋର୍ଦ୍ଧା ଗସ୍ତ ସମୟରେ ତାଙ୍କୁ ବିଭିନ୍ନ ପାଇକ ସଂଗଠନର କର୍ମମର୍ତ୍ତାମାନେ ଭେଟି ଏହି ସମ୍ପର୍କିତ ଦାବି ଜଣାଇଥିଲେ ।
ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ । ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।