ଭୁବନେଶ୍ୱର: ବିଜେପିକୁ ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଟାର୍ଗେଟ କରିବା ପରେ, ସମାନ ଢଙ୍ଗରେ କଂଗ୍ରେସ ପ୍ରଭାରୀଙ୍କୁ ମଧ୍ୟ ଜବାବ୍ ଦେଇଛି ବିଜେପି । ରବିବାର ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ନିର୍ବାଚନ ପାଇଁ ଓଡିଶାରେ ବିଜେଡି ଓ ବିଜେପି ପରସ୍ପର ମଧ୍ୟରେ ବୁଝାମଣା କରିଛନ୍ତି । ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ବୁଝାମଣା ହୋଇଛି ବୋଲି କହିଥିଲେ ଅଜୟ କୁମାର ।
ଏହାର ଜବାବରେ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି, ବିଜେଡି-ବିଜେପି ସିଟ ବୁଝାମଣା ଆଲୋଚନା ସମୟରେ ବୋଧେ କଂଗ୍ରେସ ପ୍ରଭାରୀ ବସି ଶୁଣୁଥିଲେ । କଂଗ୍ରେସ ହେଉଛି ବିଜେଡିରେ ବିକ୍ରି ହୋଇଥିବା ଦଳ । ଜାତୀୟ ସ୍ତରର ଦଳର ପ୍ରାର୍ଥୀ ହୋଇ ସେମାନେ ତିନି ଚାରି ହଜାର ଭୋଟ ପାଉଛନ୍ତି । ଏପଟେ ସ୍ୱାଧୀନ ପ୍ରାର୍ଥୀ କିନ୍ତୁ ତାଙ୍କଠୁ ଅଧିକ ଭୋଟ ପାଉଛନ୍ତି, ତାଙ୍କୁ ଟିକେ ଲାଜ ବି ଲାଗୁନାହିଁ, ବିଜେପିକୁ ଆକ୍ଷେପ କରିବାକୁ । ବିଜେପି, ବିଜେଡି କିମ୍ବା କଂଗ୍ରେସ ସହିତ ନାହିଁ । କାହା ସହିତ ମେଣ୍ଟ ନକରି ଏକା ଲଢ଼ି ୧୫ ଟି ଲୋକସଭା ସିଟରେ ଜିତିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ।