କଟକ ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

କଟକ: କଟକ ଚୌଧୁରୀବଜାରରେ ସକାଳୁ ଏକ ଲୁଗା ଦୋକାନରେ ନିଆଁ ଲାଗିଯାଇଛି। ଦୋକାନଟି ହୁତୁହୁତୁ ହୋଇ ଜଳି ଯାଇଛି। ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁ ଲିଭା ଜାରି ରଖିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।

ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ନିଆଁଟି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ବିଲ୍ଡିକୁ ଯେପରି ନିଆଁ ନ ବ୍ୟାପିବ ସେନେଇ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛନ୍ତି।

ଅନ୍ୟ ପକ୍ଷରେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ସିଡ଼ି ଦ୍ୱାରା ଚଢ଼ି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଚାରି ଘଣ୍ଟା ପରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇପାରିଛି। ଏବେ ବିପଦ ସଂପୂର୍ଣ୍ଣ ଟଳିଯାଇଛି। ଏନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ବି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ନିଆଁ ଲିଭାଇବା ଲାଗି ଅକ୍ଳାନ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏଯାଏ ବହୁ ଲୁଗା ଓ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡ଼ି ଯାଇଥିବା ଜଣାଯାଇଛି। ନିଆଁ ଲାଗିଥିବା ଦୋକାନର ପାଖାପାଖି ଅନ୍ୟ କୌଣସି ଦୋକାନକୁ ନିଆଁ ବ୍ୟାପିନାହିଁ।  ଏଣେ ଘଟଣାସ୍ଥଳରେ ଜିଲ୍ଲାପାଳ ବି ପହଞ୍ଚି ନିଆଁ ଲିଭା କାମର ତଦାରଖ କରିଥିଲେ। ଜିଲ୍ଲାପାଳ କହିଛନ୍ତି, ଏଘଟଣା ପରେ ସ୍ଥାନୀୟ ଦୋକାନୀଙ୍କୁ ସଚେତନ କରାଯିବ।

Comments (0)
Add Comment