ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭାରୁ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ କରି ଏହି କାର୍ୟ୍ୟକୁ ଆଗେଇ ନେବାକୁ ନିଜର ଦଳୀୟ ସହକର୍ମୀ ଓ ବନ୍ଧୁମାନଙ୍କୁ ଅନୁରୋଧ କରିଛନ୍ତି । ଆଉ ଅପରାଜିତାଙ୍କ ଏହି କାନ୍ଥ ଲିଖନ ଅଭିଯାନକୁ ବିଜେଡିର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର କଟାକ୍ଷ କରିଛନ୍ତି । କାନ୍ଥବାଡ଼ରେ ନୁହେଁ ବରଂ ଲୋକଙ୍କ ହୃଦୟରେ ସେ ରହିବାକୁ ଚାହାଁନ୍ତି ବୋଲି କହିଛନ୍ତି ।
ସୂଚନା ଅନୁସାରେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ କରିଛନ୍ତି । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିଜେ କାନ୍ଥରେ ବିଜେପିର ଦଳୀୟ ଚିହ୍ନ ପଦ୍ମ ଫୁଲ ଆଙ୍କି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି । ଏହାସହିତ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଂଚଳରେ ପଦଯାତ୍ରା କରି ଭୋଟରଙ୍କୁ ଭେଟିବାରେ ଲାଗିଛନ୍ତି । ଅପରାଜିତା ବିଭିନ୍ନ ଅଂଚଳରେ ପଦଯାତ୍ରା ସହ ଛୋଟ ଛୋଟ ସଭା କରି ଲୋକଙ୍କୁ ଭେଟୁଛନ୍ତି । ‘ଆଉଥରେ ଅପରାଜିତା’ ସ୍ଲୋଗାନ ସହ ବିଜେପି କର୍ମୀମାନଙ୍କ ସହ ବିଭିନ୍ନ ଅଂଚଳକୁ ଯାଇ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବାରେ ଲାଗିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେବଗଡ଼ର କଣ୍ଡଳ ନିକଟରେ କାନ୍ଥ ଲିଖନ କାର୍ୟ୍ୟକ୍ରମର ଶୁଭାରମ୍ଭ କରି ରଙ୍ଗତୁଳୀ ଧରି ପଦ୍ମଫୁଲ ଆଙ୍କି ‘ମୋଦିଙ୍କ ଚିହ୍ନ ପଦ୍ମଫୁଲ’ ବୋଲି ଲେଖିଥିଲେ ।
ଅନ୍ୟପକ୍ଷରେ ବିଜେପିର ‘କାନ୍ଥ ଲିଖନ’ କାର୍ୟ୍ୟକ୍ରମକୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମ୍ଭାବ୍ୟ ବିଜେଡି ପ୍ରାର୍ଥୀ ଶ୍ରୀମୟୀ ମିଶ୍ର । ଉତ୍ତର ଭୁବନେଶ୍ୱରର ୧୩ନମ୍ବର ୱାର୍ଡରେ ଜନସମ୍ପର୍କ ପଦଯାତ୍ରାବେଳେ ଗଣମାଧ୍ୟମର ପ୍ରଶ୍ନ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀମୟୀ କହିଛନ୍ତି ଯେ, ସେ କାନ୍ଥବାଡ଼ରେ ନୁହେଁ ଲୋକଙ୍କ ହୃଦୟରେ ରହିବାକୁ ଚାହୁଁଛନ୍ତି । କାନ୍ଥରେ କିଏ କ’ଣ ଲେଖୁଛି ଲୋକେ ଦେଖନ୍ତି ନାହିଁ । ଲୋକେ କାମକୁ ଦେଖନ୍ତି । ଲୋକଙ୍କ ହୃଦୟରେ ଯଦି ସ୍ଥାନ ପାଇବେ ତାହା ହିଁ ସବୁଠୁ ବଡ଼ କଥା ।