ଭୁବନେଶ୍ୱର:ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ।
କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବର୍ଦ୍ଧନା ଉତ୍ସବରେ ସଚିବ (୫ଟି) ଭି କେ ପାଣ୍ଡିଆନ୍ ଉପସ୍ଥିତ ରହି କିଶୋରଙ୍କ ଐତିହାସିକ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ।