କୋଟାରେ ପୁଣି ଆତ୍ମହତ୍ୟା କଲେ ୨ ଜଣ ଛାତ୍ର

କୋଟା: ରାଜସ୍ଥାନର କୋଟାରେ ଦିନକୁ ଦିନ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି । ଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ରୋକିବା କର୍ତ୍ତୃପକ୍ଷ ବିଭିନ୍ନ ଉପାୟ ଅବଲମ୍ବନରେ ବ୍ୟସ୍ତ ଥିଲାବେଳେ ପୁଣି ଦୁଇଟି ଦୁଃଖଦ ମୃତ୍ୟୁ ଖବର ଆସିଛି । କୋଟାରେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ଦୁଇଜଣ ଛାତ୍ର ରବିବାର ଦିନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସର ସୂଚନାନୁସାରେ, ୧୭ ବର୍ଷ ବୟସ୍କ ଅବିଶ୍ୱର ସମ୍ୱାଜୀ କାସଲେ ଅପରାହ୍ନ ପ୍ରାୟ ୩.୧୫ ସମୟରେ ଜବାହାର ନଗରରେ ଥିବା ତାଙ୍କ କୋଚିଂ ଇନଷ୍ଟିଚ୍ୟୁଟ ବିଲ୍ଡିଂର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସମ୍ବାଜୀ ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ହିଁ ସେହି ବିଲ୍ଡିଂର ତୃତୀୟ ମହଲାରେ ଏକ ପରୀକ୍ଷା ଦେଇଥିଲେ । ଦୁଇଟି ପୃଥକ୍‌ ଘଟଣାରେ କାସଲେଙ୍କ ମୃତ୍ୟୁର ୪ ଘଣ୍ଟା ପରେ, ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ଆଉ ଜଣେ ଛାତ୍ର ଆଦର୍ଶ ରାଜ (୧୮) ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୁନ୍‌ହାଡି ପୋଲିସ ଥାନା ଅଞ୍ଚଳରେ ଥିବା ଭଡାଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ସମ୍ୱାଜୀ ତିନି ବର୍ଷ ଧରି କୋଟାରେ ରହି ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କ ପିତାମାତା ବୃତ୍ତିରେ ଶିକ୍ଷକ ଓ ସେ ତାଲୱାଣ୍ଡି ଅଞ୍ଚଳର ଏକ ଭଡ଼ା ଘରେ ନିଜ ବାପାମାଙ୍କ ସହ ରହୁଥିଲେ । ସେହିଭଳି ବିହାରର ରୋହତସ ଜିଲ୍ଲାର ବାସିନ୍ଦା ଆଦର୍ଶ ମଧ୍ୟ ଗତ ଏକ ବର୍ଷ ଧରି କୋଟାରେ ନିଟ୍‌ ପାଇଁ ପ୍ରସ୍ତୁତି କରୁଥିଲେ । ତାଙ୍କ ଭଉଣୀ ଏବଂ ସମ୍ପର୍କୀୟଙ୍କ ସହ ସେ ଭଡ଼ା ଘରେ ରହୁଥିଲେ । ଦିନକୁ ଦିନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇଁ କୋମଳମତି ପିଲାମାନଙ୍କ ଉପରେ ବୃଦ୍ଧି ପାଉଥିବା ମାନସିକ ଚାପ ଯୋଗୁଁ କୋଟାରେ ଚଳିତ ବର୍ଷ ପ୍ରାୟ ୨୩ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି ।

Comments (0)
Add Comment