ହାଇକୋର୍ଟରେ କଟକ ଦୁର୍ଗାପୂଜା ମାମଲାର ଅନ୍ତ । କୋଭିଡ଼ ଗାଇଡ଼ଲାଇନ ଭିତରେ ହୋଇପାରିବ ଦୁର୍ଗାପୂଜା । କୋଭିଡ ମହାମାରୀ ବେଳେ ଦୁର୍ଗାପୂଜାକୁ ନେଇ କିଛିଦିନ ହେବ ପୂଜା କମିଟି ଓ ପ୍ରଶାସନ ମଧ୍ୟରେ ଚାଲିଥିଲା ବିବାଦ । ଅନ୍ୟପଟେ ପୂଜା କୁ ନେଇ କିଛି ଗାଇଡ ଲାଇନ ଜାରୀ କରିଥିଲା ପ୍ରଶାସନ । ଯେଭଳି କି ମେଢର ଉଚ୍ଚତା ୪ ଫୁଟ୍ ମଧ୍ୟରେ ରହିବ । ମେଢ ପାଖରେ କେବଳ ପୂଜାରୀଙ୍କ ସହ ୪ ଜଣ ରହିବେ । ଏହାସହ ମେଢ ନିକଟରୁ ଭକ୍ତଙ୍କ ଦୁରତା କେତେ ରହିବ ତାହା ପ୍ରଶାସନ ନିସ୍ପତ୍ତି କରିବ ବୋଲି କୁହାଯାଇଥିଲା । ଏନେଇ ବିଭିନ୍ନ ପୂଜା କମିଟି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ଆଜି କହିଛନ୍ତି କି ପୂଜା ବେଳେ ମେଢର ଉଚ୍ଚତା ଉପରେ କୌଣସି କଟକଣା ନାହିଁ । ପୂଜା କମିଟି ମାନେ କୋଭିଡ କଟକଣାକୁ ପାଳନ କରି ପୂଜା କରିପାରିବେ । ବିସର୍ଜନ ଦାୟିତ୍ବ ପ୍ରଶାସନ ଉପରେ ନ୍ୟସ୍ତ କରିଛନ୍ତି କୋର୍ଟ ।
କେବଳ କଟକ ସହରରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣ ହୋଇଥିବା ବେଳେ ସେଗୁଡିକୁ ଅନୁମତି ଦେଇଛନ୍ତି କୋର୍ଟ । ମୂର୍ତ୍ତି ନିର୍ମାଣ କରିବା ଲାଗି ପ୍ରଥମେ ବାଲୁବଜାର ପୂଜା ମଣ୍ଡପକୁ ଅନୁମତି ଦେଇଥିଲେ ହାଇକୋର୍ଟ । ପରେ କଟକ ଫିରିଙ୍ଗି ବଜାର ଏବଂ ତାପରେ ତେଲେଙ୍ଗାବଜାର ସମେତ ୯ଟି ପୂଜା ମଣ୍ଡପରେ ପୂର୍ବ ଢାଞ୍ଚାରେ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଥିଲା । ଯାହାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଗତ ଶୁକ୍ରବାର ଏଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ତେବେ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଆଧାରରେ ମୂର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ଲାଗି ପୋଲିସ କମିଶନର ନିର୍ଦ୍ଦେଶ ଦେଇଥିଲେ । ନବନିର୍ମିତ ବଡ ମୂର୍ତ୍ତିଗୁଡିକୁ ଭାଙ୍ଗିଦେବା ଲାଗି ସମ୍ପୃକ୍ତ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୋଲିସ କମିଶନର । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଛି ଏକାଧିକ ମାମଲା ।