ବାଲେଶ୍ବର: ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ କୋଲକାତାଠାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’ ନାମକ ଏକ ଏସି ସ୍ଲିପର୍ ବସ୍ ଜଳିଯାଇଥିଲା। ବସ୍ଟି ପଶ୍ଚିମବଙ୍ଗର କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା। ବସ୍ ଟି ଶନିବାର ଭୋର୍ ୫ଟା ବେଳେ ପାରାଦୀପରେ ପହଞ୍ଚିଥାଆନ୍ତା। ଏହା ୪୧ ସିଟ୍ ବିଶିଷ୍ଟ ଥିବା ବେଳେ ପାର୍ବଣ ସମୟ ଯୋଗୁଁ ସିଟ୍ ସଂଖ୍ୟାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତ୍ରା କରୁଥିବା ଅନୁମାନ କରାଯାଉଛି।ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆସି ନଥିଲେ ବି ବସ୍ରେ ବିସ୍ଫୋରକ ସାମଗ୍ରୀ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ନିଆଁ ଲାଗିବା ପରେ କିଛି ଯାତ୍ରୀ ବସ୍ର ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ। ୩୬ରୁ ଅଧିକ ଯାତ୍ରୀ ବସ୍ ଭିତରୁ ବାହାରି ପାରି ନଥିଲେ। କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଦିନୀପୁର ମେଡିକାଲ୍ କଲେଜ ହସ୍ପିଟାଲ୍ ଏବଂ ଗ୍ରାମୀଣ ଡାକ୍ତରଖାନାକୁ ନେଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ବେଳେ ୧ ଘଣ୍ଟା ଯାଏ କର୍ମଚାରୀମାନେ ଆସି ନଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଏହି ଅଘଟଣରେ କାହାର ମୃତ୍ୟୁ ହୋଇଛି କି ନାହିଁ ଏବଂ ବସ୍ରେ କେତେଜଣ ଯାତ୍ରା କରୁଥିଲେ, ସେନେଇ ସୂଚନା ମିଳିନି। ଅନ୍ୟପଟେ ଦୁର୍ଘଟଣା ପରଠାରୁ ବସ୍ର ଡ୍ରାଇଭର୍, କଣ୍ଡକ୍ଟର ଓ ହେଲ୍ପର୍ଙ୍କ କୌଣସି ପତ୍ତା ନାହିଁ। ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ମେଦିନୀପୁର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ପହଞ୍ଚି ଆହତମାନଙ୍କ ଚିକିତ୍ସା କଥା ବୁଝୁଛନ୍ତି।