ଗମାଙ୍ଗ ପରିବାରର ଘର ବାହୁଡା

ଭୁବନେଶ୍ୱର:   ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରର ଘର ବାହୁଡା । କଂଗ୍ରେସକୁ ଫେରିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଏବଂ ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ । ଦିଲ୍ଲୀରେ ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ୍ ଓ ଓଡିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ହାତ ଧରିଛନ୍ତି । କଂଗ୍ରେସରେ ଯୋଗଦେବା ପରେ ଗିରିଧର ଗମାଙ୍ଗ କହିଛନ୍ତି, ମୋ ଘରକୁ ଫେରିଛି ।

କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ତଥା ପୂର୍ବତନ ବିଧାୟିକା ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳରେ ମିଶିଛନ୍ତି ଗମାଙ୍ଗ ପରିବାର । ସେହିପରି ପୂର୍ବତନ ସାଂସଦ ସଂଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି । ମିଶ୍ରଣ ସମାରୋହରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର, ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ୍ ପ୍ରମୁଖ ଉପସ୍ଥିତ ଥିଲେ । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ଜଣାଇବା ସହ ଗିରିଧର ଗମାଙ୍ଗ କହିଛନ୍ତି,
କଂଗ୍ରେସ ଦେଶର ଏକମାତ୍ର ସିଦ୍ଧାନ୍ତବାଦୀ ରାଜନୈତିକ ଦଳ।
୫ ଦଶନ୍ଧୀ ଧରି ରାଜ୍ୟ ରାଜନୀତିରେ ସକ୍ରୀୟ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ୧୯୭୨ ମସିହାରେ କୋରାପୁଟରୁ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କ ରାଜନୈତିକ କ୍ୟାରିୟର ଆଗକୁ ବଢ଼ିଥିଲା ।
୨୦୦୯ରେ ପ୍ରଥମ ଥର ପାଇଁ କେରାପୁଟ ଲୋକସଭାରୁ ନିର୍ବାଚନ ହାରିଥିଲେ।୨୦୨୩ରେ ବିଜେପି ଛାଡ଼ି ବିଆର୍ଏସ୍ରେ ଯୋଗ ଦେଇଥିଲେ ଗିରିଧର । ସପରିବାର ଗିରିଧର ଗମାଙ୍ଗ କଂଗ୍ରେସକୁ ଫେରିବା ପରେ କୋରାପୁଟରେ ଦଳର ଶକ୍ତି ବୃଦ୍ଧି ପାଇବ ବୋଲି ଆଶା ରଖିଛି ରାଜ୍ୟ କଂଗ୍ରେସ । ପୂର୍ବତନ ବରଗଡ଼ ସାଂସଦ ସଂଜୟ ଭୋଇ ମଧ୍ୟ ଦଳକୁ ଫେରିଛନ୍ତି । ନିର୍ବାଚନ ପୂର୍ବରୁ ଦଳ ଛାଡିଥିବା ଅନେକ ନେତା ପ୍ରତ୍ୟାବର୍ତନ କରିବେ ବୋଲି କହିଛି ରାଜ୍ୟ କଂଗ୍ରେସ ।

Comments (0)
Add Comment