ଗାଡକଣରେ ଲିଜ୍‌ହୋଲ୍‌ଡ ଜମି ବିକ୍ରି ମାମଲା: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଗାଡକଣ ଅଞ୍ଚଳରେ ବେଆଇନ ଭାବେ ଲିଜହୋଲ୍ଡ ଜମି ବାରମ୍ବାର ବିକ୍ରି ଖରିଦ କରାଯାଉଥିବା ଅଭିଯୋଗର ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ତଥା ଇଷ୍ଟେଟ ନିର୍ଦ୍ଦେଶକ ତଦନ୍ତ କରିବେ । ଭୁବନେଶ୍ୱରର ଗାଡକଣରେ ୯୯ ଏକର ଲିଜହୋଲ୍‌ଡ ଜମି ଜାଲିଆତି କରି ବିକ୍ରି ଖରିଦ ଚାଲିଥିବା ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ହୋଇଥିବା ଜମି ସଂପର୍କିତ ବିକ୍ରି କବଲା ଯେଉଁମାନଙ୍କ ପାଖରେ ରହିଛି ସେମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ । ତଦନ୍ତ ବେଳେ ଯଦି ବେଆଇନ ଭାବେ ତଥା ଆବଶ୍ୟକ ଅନୁମତି ନ ଥାଇ ଜମି କିଣାବିକା ହୋଇଥିବା ଜଣା ପଡେ ତେବେ ସରକାରଙ୍କ ପକ୍ଷରୁ ଏହି ପ୍ରସଂଗରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ତିନି ମାସ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଗାଡକଣ ଗାଁର ବାଇଧର ସାହୁ, ଯଦୁମଣି ସାହୁ ଓ ଅନ୍ୟ ୫ଜଣଙ୍କ ତରଫରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment