ଗୋଆରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପଣଜୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୋଆର ମଡ଼ଗାଓ ସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ୩୭ତମ ଜାତୀୟ କ୍ରୀଡ଼ାକୁ ଉଦଘାଟନ କରିଛନ୍ତି । ଅକ୍ଟୋବର ୨୬ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ରୀଡ଼ାରେ ଦେଶର ୧୦,୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ, ଯେଉଁମାନେ ୨୮ଟି କ୍ରୀଡ଼ାଙ୍ଗନରେ ୪୩ରୁ ଅଧିକ କ୍ରୀଡ଼ା ବର୍ଗରେ ଭାଗ ନେବେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ୩୭ତମ ଜାତୀୟ କ୍ରୀଡ଼ା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଦେଶର କ୍ରୀଡ଼ା କ୍ଷେତ୍ରରେ ଗୋଆର ଅବଦାନ ଉପରେ ପ୍ରଧାନମନ୍ତ୍ରୀ​ ଆଲୋକପାତ କରିଥିଲେ ଏବଂ ଫୁଟବଲ ପ୍ରତି ଗୋଆର ଭଲପାଇବା ବିଷୟରେ ଉଲ୍ଲେଖ କରିଥିଲେ। କ୍ରୀଡ଼ାପ୍ରିୟ  ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜନ ହେବା ଉତ୍ସାହଜନକ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ଜାତୀୟ କ୍ରୀଡ଼ା ଏଭଳି ଏକ ସମୟରେ ଆୟୋଜନ ହେଉଛି ଯେତେବେଳେ ଦେଶ କ୍ରୀଡ଼ା ଜଗତରେ ନୂଆ ସଫଳତା ହାସଲ କରୁଛି । ଏସୀୟ କ୍ରୀଡ଼ାରେ ୭୦ ବର୍ଷର ରେକର୍ଡ ଭାଙ୍ଗିଥିବା ସଫଳତା ବିଷୟରେ ସେ ଉଲ୍ଲେଖ କରିବା ସହ ଚଳିତ ଏସୀୟ ପାରା ଗେମ୍ସ ବିଷୟରେ ମଧ୍ୟ କହିଥିଲେ ଯେଉଁଠାରେ ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରି ଦେଶର କ୍ରୀଡ଼ାବିତ୍‌ମାନେ ୭୦ରୁ ଅଧିକ ପଦକ ହାସଲ କରିଥିବା ସେ କହିଥିଲେ। ସେ ନିକଟରେ ଶେଷ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଠାରେ ଭାରତ ଇତିହାସ ରଚିଥିଲା । କ୍ରୀଡ଼ା ଜଗତରେ ଭାରତର ସାମ୍ପ୍ରତିକ ସଫଳତା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ଶ୍ରୀ ମୋଦୀ କହିଥିଲେ। ଜାତୀୟ କ୍ରୀଡ଼ାକୁ ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଦୃଢ଼ ଲଞ୍ଚପ୍ୟାଡ୍ ବା ମୂଳଦୁଆ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଲାଗି ରହିଥିବା ଥିବା ବିଭିନ୍ନ ସୁଯୋଗ ଉପରେ ଆଲୋକପାତ କରିଥିଲେ । ଖେଳାଳୀମାନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ କରିଥିଲେ।

Comments (0)
Add Comment