ଗୋପବନ୍ଧୁ ଏକାଡେମୀରେ ସେଣ୍ଟର ଫର ଗୁଡ୍‌ ଗଭର୍ଣ୍ଣାନ୍ସ ଓଡ଼ିଶା କାର୍ଯ୍ୟାଳୟ

ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସେଣ୍ଟର ଫର୍‌ ଗୁଡ୍‌ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଫଳାଫଳଭିତ୍ତିକ ପରିଚାଳନା ଓ ସାମାଜିକ ନୂତନତ୍ୱ ଆଣିବା ଦିଗରେ ସିଜିଜିଓ ଏକ ସ୍ଥାୟୀ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ । ସ୍ଥାନ ନିର୍ଦ୍ଧିଷ୍ଟ ପ୍ରମାଣ ଭିତ୍ତିକ ଗବେଷଣା କରି ସୁଶାସନରେ ସହଯୋଗ ପାଇଁ ଆବଶ୍ୟକୀୟ ଜ୍ଞାନ ପରିଚାଳନା ଏବଂ ପ୍ରଶିକ୍ଷଣକୁ ସହଜ କରିବା ପାଇଁ ସିଜିଜିଓକୁ ଦାୟିତ୍ୱ ଦିଆଯାଇଛି ।

ଉଦଘାଟନୀ କାର୍ଯ୍ୟକ୍ରମ ପରେ ଏକାଡେମୀର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଭିତ୍ତିଭୂମି ଉନ୍ନତି ସହ ଏହାର ପ୍ରଶିକ୍ଷଣ ବ୍ୟବସ୍ଥାରେ ନୂତନତ୍ୱ ଆସିଛି । ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ପ୍ରୋବେସନର ତଥା ଅଧିକାରୀମାନେ ଓଡିଶାର ଭୌଗୋଳିକ ସ୍ଥିତି, ପରିସଂସ୍ଥା, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ତଥ୍ୟ ସମ୍ପକରେ ଅଧିକରୁ ଅଧିକ ଅଧ୍ୟୟନ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।

Comments (0)
Add Comment