ଘଟଗାଁ ତାରିଣୀ ପୀଠରେ ୧୧ ଲକ୍ଷରୁ ଅଧିକ ମାନସିକ ନଡ଼ିଆ ପଡିରହିଛି

କେନ୍ଦୁଝର : ଘଟଗାଁ ମା ତାରିଣୀଙ୍କ ପୀଠକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୈନନ୍ଦିନ ହଜାର ହଜାର ନଡିଆ ପହଁଚିଥାଏ । ଆସୁଥିବା ମାନସିକ ନଡିଆ ମା’ତାରିଣୀଙ୍କ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିରରେ ପିଟାଯିବା ପରେ ଏହାକୁ ବିକ୍ରି କରାଯାଏ । ଏହି ମାନସିକ ନଡିଆକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିଥାଏ ମନ୍ଦିର ପ୍ରଶାସନ । ତେବେ ବାରମ୍ବାର ଟେଣ୍ଡର ଡକାଯିବା ସତ୍ତେ୍ୱ କେହି ଟେଣ୍ଡରରେ ଅଂଶଗ୍ରହଣ କରୁନଥିବାରୁ ମାନସିକ ନଡିଆଗୁଡିକ ଦୀର୍ଘଦିନ ଧରି ପଡି ରହୁଛି । ଫଳରେ ଏବେ ନଡ଼ିଆ ଗୋଦାମ ଗୃହରେ ନଡ଼ିଆ ସଂଖ୍ୟା ବଢି ୧୧ଲକ୍ଷରୁ ଅଧିକ ହୋଇଯାଇଛି । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ନଡ଼ିଆ ଗୋଟା ପ୍ରତି ୪ଟଙ୍କା ୬୫ ପଇସାରେ କିଣିବାକୁ ମନ୍ଦିର ପ୍ରଶାସନ ସହ ଚୁକ୍ତି କରିଥିବା ଜୈନେକ ବ୍ୟକ୍ତି କିଛି ଦିନ ପରେ ଚୁକ୍ତିରୁ ଓହରି ଗଲେ । ଏହି ସମସ୍ୟାର ସମାଧାନ ପାଇଁ କିଛି ଦିନ ପୂର୍ବରୁ ନଡିଆ ଗୋଟା ପ୍ରତି ୩ ଟଙ୍କା ୭୦ ବିକ୍ରି କରିବାକୁ ଟେଣ୍ଡର ଆହ୍ୱାନ ହୋଇଥିଲେ ବି ଏହାକୁ କିଣିବାକୁ କେହି ରାଜି ହୋଇନଥିଲେ । ଏବେ ପୁଣି ନଡ଼ିଆ ଗୋଟାଏ ପ୍ରତି ୪ଟଙ୍କା ୬୦ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ ମରାଯିବା ସହ ବିଜ୍ଞାପନ ଦିଆଯାଇଛି । ତେଣୁ ବାରମ୍ବାର ଟେଣ୍ଡର ଡକା ହେଲେ ମଧ୍ୟ ୩ଟଙ୍କା ୭୦ପଇସାରେ ନଡ଼ିଆ କିଣିବାକୁ କେହି ରାଜିନଥିବା ବେଳେ କିପରି ୪ଟଙ୍କା ୬୦ପଇସାରେ କେହି ଟେଣ୍ଡର କିଣିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Comments (0)
Add Comment