ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା : ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଲେ ହାଇକୋର୍ଟ

କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବା ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି  । କେତେ ପ୍ରତିଶତ ଫି’ କମାଯାଇପାରିବ ସେନେଇ ସ୍ପଷ୍ଟ ମତ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଏକ ସପ୍ତାହର ମହଲତ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କରୋନା ମହାମାରୀ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପିଲା ସ୍କୁଲ ଯାଉନାହାନ୍ତି କି ଶିକ୍ଷକ ସ୍କୁଲକୁ ଆସୁନାହାନ୍ତି । ଏଭଳି ସ୍ଥଳେ ବେସରକାରୀ ବିଦ୍ୟାଳୟମାନେ ପିଲାମାନଙ୍କ ଠାରୁ ମାସିକ ଦେୟ ଆଦାୟ କରିବାରେ ଲାଗିଛନ୍ତି । ଏହାକୁ ବିରୋଧ କରି ଅବିଭାବକ ସଂଘ ସ୍କୁଲ ଫି ଛାଡ କରିବାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅଭିଯୋଗ କରିଥିଲେ କି, ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ଅବିଭାବକ ମାନେ କାହିଁକି ମାସିକ ଦେୟ ଦେବେ । ଏନେଇ ରାଜ୍ୟସରକାରଙ୍କର କିଛି ସ୍ୱତନ୍ତ୍ର ଗାଇଡଲାଇନ ନଥିବା ବେଳେ ବେସରକାରୀ ସ୍କୁଲ ସଂଘ କହିଛି କି ପିଲା ସ୍କୁଲକୁ ନଆସିଲେ ବି କର୍ମଚାରୀ ମାନେ ଦରମା ନେଉଛନ୍ତି । ଆନୁସାଙ୍ଗିକ ଖର୍ଚ୍ଚ ବି ବନ୍ଦ ହୋଇ ନାହିଁ । ଏହା ସହ ଆମେ ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଦେଇ ଚାଲିଛୁ ।

ତେବେ ୭ଟି ସ୍ଲାବରେ ଫି’ ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ । ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆପୋଷ ସମାଧାନରେ ସୂତ୍ର ବାହାର କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ। 

Comments (0)
Add Comment