ଚଳିତ ସପ୍ତାହରେ ବ୍ରିଟେନ୍‌ ଯିବେ ୭ ଓଡ଼ିଆ ମହିଳା ଉଦ୍ୟୋଗୀ


ଭୁବନେଶ୍ୱର: ଓଡିଶାରେ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ପାଇଁ ସୁଯୋଗ ସନ୍ଧାନ କରିବାକୁ ୭ ଜଣ ଓଡିଆ ମହିଳା ଉଦ୍ୟୋଗୀ ଚଳିତ ମାସ ୨୫ରେ ବ୍ରିଟେନ୍‌ ଗସ୍ତ କରିବେ । ପ୍ରଥମ ଥର ପାଇଁ ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍‌ଡବ୍ଲ୍ୟୁଇସି)ର ଜାତୀୟ ଅଧ୍ୟକ୍ଷା ସୁକିର୍ତୀ ପଟ୍ଟନାୟକଙ୍କ ନେତୃତ୍ୱରେ ସୁଶ୍ରୁତ ହସ୍ପିଟାଲ୍‌ ଆଣ୍ଡ୍‌ ଟ୍ରମାର ସିଇଓ ଡକ୍ଟର ଚିଦାତ୍ମିକା ଖଟୁଆ, ଫେସନ ଡିଜାଇନର ଜୁବିନା ଅଲ୍ଲୀ, ଶ୍ରାଇନ୍‌ ଭେଞ୍ଚର୍ସର ତତ୍ତ୍ୱାବଧାୟିକା ଅନୁରାଧା ମହାନ୍ତି, ଆଡ୍‌ଭେଞ୍ଚର୍ସ ଆଡଭର୍ଟାଇଜିଂର ପାର୍ଟନର ଅମ୍ରିନା ଅଲ୍ଲୀ, ଆବେଜା ଲ୍ୟାବ୍‌ସର ନିର୍ଦ୍ଦେଶିକା ସ୍ୱସ୍ତି ମିଶ୍ର ଓ ନମ୍ରତା ସ୍ୱାଇଁ ବ୍ରିଟେନ୍‌ରେ ୭ରୁ ୧୪ ଦିନ ପର୍ଯ୍ୟନ୍ତ ରହିବେ । ସେମାନେ ଅଗଷ୍ଟ ୨୬ ଓ ୨୭ରେ ବ୍ରିଟେନ୍‌ର ହାରୋଠାରେ ଥିବା ଓଡିଶା ସୋସାଇଟି ଅଫ୍‌ ୟୁକେ (ଓଏସ୍‌ୟୁକେ)ର ୪୪ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବେ । ଶିଳ୍ପ ବିଭାଗ ଓ ଇପିକଲ୍‌ ମାଧ୍ୟମରେ ଓଡ଼ିଶା ସରକାର ଏହି ମହିଳା ପ୍ରତିନିଧିମାନଙ୍କୁ ଏହି ଗସ୍ତ ନିମନ୍ତେ ସହାୟତା ପ୍ରଦାନ କରିଛନ୍ତି ।
ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୧ ହଜାର କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ରାଜ୍ୟର ବିଭିନ୍ନ ବିଭାଗ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବ୍ୟବସାୟ ସୁଯୋଗ ପ୍ରଦାନ କରିଛନ୍ତି । ଖୁବ୍‌ଶୀଘ୍ର ଓଡିଶା ମହିଳା ଉଦ୍ୟୋଗୀ ମାନଙ୍କର ଏକ ହବ୍‌ରେ ପରିଣତ ହେବ । ଏହି ଅବସରରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଓଡିଶା ସୋସାଇଟି ଅଫ୍‌ ୟୁକେର ସାଧାରଣ ସମ୍ପାଦକ ଶିବ କୁମାର ବିଶ୍ୱାଳ, ଆଇସିସି ଓଡିଶା ପରିଷଦର ଅଧ୍ୟକ୍ଷ ଜେ ବି ପାଣି, ସେରୁ ପ୍ରପର୍ଟିଜ୍‌ର ଅଧ୍ୟକ୍ଷ ଅନିଲ ଦାସ ଓ ଆଇଏନ୍‌ଡବ୍ଲ୍ୟୁଇସିର ଆବାହିକା ତନୟା ପଟ୍ଟନାୟକ ଉପସ୍ଥିତ ଥିଲେ ।

Comments (0)
Add Comment