ବେଜିଂ : ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ (ବିଆରଆଇ) ପ୍ରକଳ୍ପରେ ସାମିଲ ହୋଇଥିବା ଇଟାଲୀ ଏବେ ଏଥିରୁ ଓହରିଯିବାକୁ ଯୋଜନା କରିଛି । ତିନିଦିନିଆ ବେଜିଂ ଗସ୍ତ ପୂର୍ବରୁ ଇଟାଲୀ ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି କହିଛନ୍ତି ଯେ ଚୀନ ସହିତ ହୋଇଥିବା ବିଆରଆଇ ବୁଝାମଣା ଆବଶ୍ୟକ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି । ୨୦୨୪ ମାର୍ଚ୍ଚରେ ବିଆରଆଇ ବୁଝାମଣାର ନବୀକରଣ ହେବାକୁ ଥିବାବେଳେ ଇଟାଲୀ ପକ୍ଷରୁ ଏପରି ମନ୍ତବ୍ୟ ଚୀନ୍ ପାଇଁ ଚିନ୍ତାଜନକ । କାରଣ ବିଆରଆଇ ପ୍ରକଳ୍ପ ମାଧ୍ୟମରେ ଚୀନ ୟୁରୋପୀୟ ରାଷ୍ଟ୍ରଗୁଡିକ ସହିତ ବାଣିଜ୍ୟ କାରବାର ସୁବିଧା ସୃଷ୍ଟି କରିବାକୁ ଯାଉଥିଲେ । ବୈଦେଶିକ ମନ୍ତ୍ରୀ ତାଜାନଙ୍କ କହିଛନ୍ତି ଆମେ ଚୀନ ସହିତ କାମ କରିବାକୁ ଚାହୁଁଥିଲୁ ମାତ୍ର ବିଆରଆଇ ଆମର ଆବଶ୍ୟକ ସ୍ୱାର୍ଥ ସାଧନ କରିବାରେ ବିଫଳ ହୋଇଛି । ୨୦୨୨ରେ ଇଟାଲୀ ବିଆରଆଇ ମାଧ୍ୟମରେ ଚୀନକୁ ୧୬୫୦ କୋଟି ୟୁରୋର ସାମଗ୍ରୀ ରପ୍ତାନି କରିଛି । ଅନ୍ୟପଟେ ଫ୍ରାନ୍ସ ଓ ଜର୍ମାନୀକୁ ଏହି ବର୍ଷକ ମଧ୍ୟରେ ଯଥାକ୍ରମେ ୨୩୦୦ କୋଟି ଓ ୧୦୭୦୦ କୋଟି ୟୁରୋର ସାମଗ୍ରୀ ରପ୍ତାନି କରିଛି । ଇଟାଲୀ ଯଦି ବିଆରଆଇ ପ୍ରକଳ୍ପରୁ ଓହରିଯାଏ ତେବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବଡ ଧକ୍କା ଲାଗିବ ।
ବିଆରଆଇ ପ୍ରକଳ୍ପ ମାଧ୍ୟମରେ ଚୀନ ଏସିଆ, ଆଫ୍ରିକା ଓ ୟୁରୋପ ମହାଦେଶରେ ସଡକ ପଥ ସହିତ ରେଳରାସ୍ତା, ବନ୍ଦର ଓ ବିମାନବନ୍ଦରର ଭଳି ଭିତ୍ତିଭୂମିର ବିକାଶ କରିବାରେ ଲାଗିଛି । ଚୀନର ଏପରି ପ୍ରକଳ୍ପକୁ ଭାରତ ବିରୋଧ କରିଆସୁଛି । ଗତ ଏସସିଓ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ଏହି ପ୍ରକଳ୍ପକୁ ସମାଲୋଚନା କରିଥିଲେ । ଚୀନ ଏହାର ବିଆରଆଇ ପ୍ରକଳ୍ପ ମାଧ୍ୟମରେ ଭାରତର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ କରୁଛି ବୋଲି ମୋଦୀ କହିଥିଲେ । କାରଣ ଚୀନ ବିଆରଆଇ ପ୍ରକଳ୍ପ ଅଧୀନରେ ପାକିସ୍ତାନ ଅଧିକୃତ କାଶ୍ମୀରରେ (ପିଓକେ)ରେ ରାସ୍ତା ତିଆରି କରିଛି । ପିଓକେକୁ ଭାରତ ନିଜର ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଚୀନ ଏଠାରେ ଭାରତର ଅନୁମତି ବିନା ରାସ୍ତା ତିଆରି କରିଛି । ମାତ୍ର ପାକିସ୍ତାନ ସହଯୋଗୀ ରାଷ୍ଟ୍ର ଭାବେ ଚୀନକୁ ପିଓକେରେ ରାସ୍ତା ନିର୍ମାଣ ଅନୁମତି ଦେଇଛି ।