ଇଟାୱା: ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ୍ ଏକ୍ସପ୍ରେସରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଇଟାୱା ନିକଟରେ ଟ୍ରେନ ନମ୍ବର ୦୨୫୭୦ର ଜେନେରାଲ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗି ଦୁଇଟି ବଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଟ୍ରେନ୍ଟି ସରାଇଭୁପତ ଷ୍ଟେସନ ନିକଟରେ ଅଟକିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାରେ ୬ଜଣ ଲୋକ ଆହତ ହୋଇଥିବା ଏବଂ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ସରାଇ ଭୁପତ ଷ୍ଟେସନ ଦେଇ ଯାଉଥିବା ବେଳେ ଷ୍ଟେସନ ମାଷ୍ଟର ସ୍ଲିପର କୋଚରେ ଧୂଆଁ ଦେଖିବାକୁ ପାଇଥିଲେ। ଏହାପରେ ଷ୍ଟେସନ ମାଷ୍ଟର ଧୂଆଁ ବିଷୟରେ ଲୋକେ ପାଇଲଟ୍ ଓ ଗାର୍ଡଙ୍କୁ ସୂଚନା ଦେଇ ଟ୍ରେନ୍ ଅଟକାଇଥିଲେ। ତୁରନ୍ତ ନିଆଁ ଲାଗିଥିବା ବଗିକୁ ଅଲଗା କରାଯାଇ ଯାତ୍ରୀମାନଙ୍କୁ ବାହାର କରିଦିଆ ଯାଇଥିଲା। ଟ୍ରେନରେ ନିଆଁ ଲାଗିବା ମାତ୍ରେ ଅନେକ ଯାତ୍ରୀ ଟ୍ରେନରୁ ଡେଇଁ ପଡ଼ିଥିଲେ। ବିହାରରେ ବର୍ତ୍ତମାନ ଛଟ୍ ପର୍ବ ଚାଲିଥିବାରୁ ଟ୍ରେନରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।