ଜିମ୍ବାୱେର ସର୍ବୋତ୍ତମ ଅଲରାଉଣ୍ଡର ହିଥ ଷ୍ଟ୍ରିକ୍‌ଙ୍କର ଦେହାନ୍ତ


ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ୍‌ ଦଳର ପୂର୍ବତନ ଭେଟେରାନ୍‌ ଅଲରାଉଣ୍ଡର ହିଥ ଷ୍ଟ୍ରିକ୍‌ଙ୍କର ୪୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଜିମ୍ବାୱେ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ମାତ୍ର ୪୯ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ରବିବାର ସକାଳେ ମାଟାବେଲେଲାଣ୍ଡ ସ୍ଥିତ ନିଜ ଫାର୍ମରେ ହିଥ୍ ଷ୍ଟ୍ରିକଙ୍କ ଦେହାନ୍ତ ହୋଇଥିବା ନେଇ ଜିମ୍ବାୱେର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ପରିବାର ମୁଖପାତ୍ର ଜନ୍ ରେନୀ ସୂଚନା ଦେଇଛନ୍ତି। ହିଥ୍ ଷ୍ଟ୍ରିକ୍‌ ଲିଭର୍ କ୍ୟାନସରରେ ପୀଡ଼ିତ ଥିଲେ। ଦୀର୍ଘଦିନ ହେବ କର୍କଟ ରୋଗ ସହିତ ସଂଗ୍ରାମ କରୁଥିବା ହିଥ୍‌ ଶେଷରେ ମୃତ୍ୟୁବରଣ କରିଛନ୍ତି । ମାର୍ଚ୍ଚ ୧୬, ୧୯୭୪ରେ ବୁଲାୟେୱୋରେ ଜନ୍ମିତ ଜିମ୍ବାୱେର ଏହି ପୂର୍ବତନ ଅଧିନାୟକ ତାଙ୍କ ସମୟର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ଥିଲେ । ଷ୍ଟ୍ରିକ୍‌ ଜିମ୍ବାୱେ ପାଇଁ ୬୫ ଟି ଟେଷ୍ଟ ଏବଂ ୧୮୯ ଟି ଏକଦିବସୀୟ ମ୍ୟାଚ ଖେଳିଥିଲେ । ସେ ନିଜ ଟେଷ୍ଟ କ୍ରିକେଟ୍‌ କ୍ୟାରିଅରରେ ୨୮.୧୪ ହାରାହାରି ରନ୍‌ ବିନିମୟରେ ସେ ମୋଟ ୨୧୬ ୱିକେଟ୍‌ ନେଇଥିଲେ ଯେଉଁଥିରେ ୧୬ ଥର ୪ଟି ଓ ୭ ଥର ୫ଟି ଲେଖାଏଁ ୱିକଟ୍‌ ନେବାର ରେକର୍ଡ ମଧ୍ୟ ରହିଛି । ସେହିଭଳି ଏକଦିବସୀୟ ମ୍ୟାଜ୍‌ରେ ମଧ୍ୟ ହାରାହାରି ୨୯.୮୨ ରନ୍‌ ବିନିମୟରେ ସେ ୨୩୯ ୱିକେଟ୍‌ ନେବା ସହିତ ସାତଥର ୪ ୱିକେଟ୍‌ ଏବଂ ଥରେ ପାଞ୍ଚଟି ୱିକେଟ୍‌ (୫/୩୨) ନେଇଥିଲେ । ସେ ଜଣେ ସଫଳ ଅଲରାଉଣ୍ଡର ମଧ୍ୟ ଥିଲେ ସେ ନିଜ ଦେଶ ପାଇଁ ଟେଷ୍ଟ କ୍ରିକେଟରେ ୧୯୯୦ ରନ୍‌ ଏବଂ ୫୦ ଓଭର ଫର୍ମାଟରେ ୨୯୪୩ ରନ୍‌ ସ୍କୋର କରିଥିଲେ । ତାଙ୍କ ଟେଷ୍ଟ କ୍ୟାରିୟର ସମୟରେ ଷ୍ଟ୍ରିକ୍‌ ନିଜ ଦେଶ ପାଇଁ ଏକ ଶତକ ଓ ୧୧ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଏକଦିବସୀୟ ମ୍ୟାଚରେ ସେ ୧୩ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଏପର୍ଯ୍ୟନ୍ତ ଏକମାତ୍ର ଜିମ୍ବାୱେ ଖେଳାଳି ଯିଏ ଟେଷ୍ଟରେ ୧୦୦୦ ରନ୍‌ ଏବଂ ୧୦୦ ୱିକେଟ୍‌, ଏବଂ ଏକଦିବସଦୀୟ ମ୍ୟାଚେ୍‌ରେ ୨୦୦୦ ରନ୍‌ ଏବଂ ୨୦୦ ୱିକେଟ୍‌ ହାସଲ କରିଛନ୍ତି ।

Comments (0)
Add Comment