ନୂଆଦିଲ୍ଲୀ: ଆସନ୍ତା କାଲି ଆରମ୍ଭ ହେଉଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ନୂଆଦିଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ସେପ୍ଟେମ୍ବର ୯-୧୦ରେ ଆୟୋଜିତ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ଭାବରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତା ଓ ବିଦେଶୀ ପ୍ରତିନିଧିମାନଙ୍କୁ ଅଭ୍ୟର୍ଥନା କରିବା ଲାଗି ପ୍ରସ୍ତୁତ ହୋଇଛି ଯୋଜନା । ଭାରତର ମହାନ ଐତିହ୍ୟ ଓ ପରମ୍ପରାର ଅତିଥି ଦେବୋ ଭବଃର ସତ୍କାର ସ୍ୱରୂପ ଏଥର ସେମାନଙ୍କୁ ମିଳିବାକୁ ଯାଉଛି ଏକ ଅନନ୍ୟ ନୈଶ୍ୟ ଭୋଜନର ଅନୁଭୂତି । ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରୁଥିବା ସୁନା-ପାଣିଦିଆ ଓ ରୂପା ଥାଳିରେ ସେମାନଙ୍କୁ ଖାଦ୍ୟ ପରଷାଯିବାର ବ୍ୟବସ୍ଥା କରାଯାଇଛି । ପ୍ରସିଦ୍ଧ ଆଇଟିସି ତାଜ ହୋଟେଲ ସମେତ ୧୧ଟି ହୋଟେଲକୁ ଏହି ସୁନା-ପାଣିଦିଆ ଓ ରୂପା ବାସନକୁସନ ପଠାଇ ଦିଆଯାଇଛି ।
ଏହି ସୁନା-ପାଣିଦିଆ ଓ ରୂପା ବାସନକୁସନ ତିଆରି କରୁଥିବା କମ୍ପାନୀର ମାଲିକ ଓ ତାଙ୍କ ପୁଅଙ୍କ କହିବା ଅନୁସାରେ, ଏହି ସୁନା-ପାଣିଦିଆ ଓ ରୂପା ବାସନ ଭାରତର ସମୃଦ୍ଧ ଐତିହ୍ୟର ପ୍ରତୀକ ଏବଂ ସେମାନେ ତିନିପୁରୁଷ ହେଲା ଏପରି ବାସନକୁସନ ତିଆରି କରି ଆସୁଛନ୍ତି । ସେମାନଙ୍କ ଲକ୍ଷ୍ୟ ହେଉଛି ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକ ଓ ଅତିଥିମାନଙ୍କୁ ଡାଇନିଂ ଟେବୁଲରେ ଭାରତୀୟ ସ୍ୱାଦ ଚଖାଇବା । ଏହି ବାସନକୁସନଗୁଡିକରେ ଜୟପୁରୀ, ଉଦୟପୁରୀ, ବାରାଣସୀ ଓ କର୍ଣ୍ଣାଟକୀ କାରୁକାର୍ଯ୍ୟ ରହିଛି, ଯାହା ଭାରତର ସାଂସ୍କୃତିକ ବିବିଧତାକୁ ଦର୍ଶାଉଛି । ଅତିଥିମାନଙ୍କର ରହିବା ବ୍ୟବସ୍ଥା ହୋଇଥିବା ହୋଟେଲଗୁଡିକୁ ଉକ୍ତ ବାସନକୁସନ ପଠାଇ ଦିଆଯାଇଛି ଏବଂ ହୋଟେଲଗୁଡିକର ମେନୁ ଏବଂ ଷ୍ଟାଇଲ ଅନୁଯାୟୀ ସେଗୁଡିକୁ ସ୍ୱତନ୍ତ୍ରଭାବେ ଡିଜାଇନ ମଧ୍ୟ କରାଯାଇଛି ବୋଲି ରାଜୀବ କହିଛନ୍ତି ।