ନୂଆଦିଲ୍ଲୀ: ଭାରତରେ ଶନିବାର ଜି-୨୦ ଶିଖର ସମ୍ମିଳନୀର ଦୁଇ ଦିବସୀୟ ଅଧିବେଶନର ଉଦଘାଟନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ପ୍ରତିନିଧି ଏବଂ ରାଷ୍ଟ୍ରଅଧ୍ୟକ୍ଷଙ୍କୁ ଆୟୋଜନ ସ୍ଥଳ ଭାରତ ମଣ୍ଡପମରେ ସ୍ୱାଗତ କରିଥିଲେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏହି ଗ୍ରୁପ ୨୦ ମହାସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାନାମା ଗୃହିତ ହୋଇଛି ଏବଂ ଏକ ଐତିହାସିକ ଘଟଣା ଭାବେ ଆଫ୍ରିକାନ ୟୁନିଅନକୁ ଗ୍ରୁପକୁ ଜି-୨୦ରେ ସାମିଲ କରାଯାଇଛି, ଫଲରେ ଏବେ ଜି-୨୦ରୁ ଜି-୨୧ କୁ ରୂପାନ୍ତରିତ ହୋଇଛି । ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ, ସହଭାଗିତା, ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଅର୍ଥନୈତିକ ସହଯୋଗ ଆଦି ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ର ମତ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନୀ ଭାଷଣ ସହ ଏହି ସମ୍ମିଳନୀର ଏଜେଣ୍ଡା ନିର୍ଦ୍ଧାରିତ କରିଥିଲେ ଏବଂ ୫୫ ଆଫ୍ରିକୀୟ ଦେଶର ସଂଘର ପ୍ରତିନିଧିତ୍ୱ କରୁଥିବା ଆଫ୍ରିକୀୟ ୟୁନିୟନର ଅଧ୍ୟକ୍ଷ ଅଜାଲି ଅସୌମାନୀ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ଶନିବାର ଆଫ୍ରିକୀୟ ୟୁନିୟନକୁ ଅଫିସିଆଲ ଭାବେ ଜି୨୦ର ସ୍ଥାୟୀ ସଦସ୍ୟ ବନାଇବାକୁ ନେଇ ପକ୍ଷ ରଖିବା ସହ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ସମସ୍ତ ଦେଶ ଏକମତରେ ସ୍ୱୀକାର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପରମ୍ପରା ମୁତାବିକ ପ୍ରେସିଡେଣ୍ଟ ହିସାବରେ ଦୁଇଥର ହାତୁଡ଼ି ପିଟି ଏହାର ଅଧିକାରିକ ପୃଷ୍ଟି କରିଥିଲେ । ତେବେ ଆଫ୍ରିକାନ ୟୁନିୟନ ଜି-୨୦ରେ ସାମିଲ ହେବା ଏକ ବଡ଼ ସଫଳତା ବୋଲି ମଣାଯାଉଛି । କାରଣ ୫୫ ଆଫ୍ରିକୀୟ ଦେଶର ପ୍ରତିନିଧିତ୍ୱ କରୁଛି ଆଫ୍ରିକାନ ୟୁନିୟନ (ଏୟୁ) । ଯାହା କି ମୋଟ ଜୈବ ବିବିଧତାର ଏକ ବଡ଼ ଭାଗର ପ୍ରତିନିଧିତ୍ୱ କରିଥାଏ । ୨୧ତମ ଶତାବ୍ଦୀରେ ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ପୂରଣ କରିବା ପାଇଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏୟୁର ସମସ୍ତ ମାଧ୍ୟମ ଉପଲବ୍ଧ ରହିଛି । ଆଫ୍ରିକୀୟ ମହାଦେଶରେ ବିଶ୍ୱର ଅକ୍ଷୟ ଶକ୍ତିର ୬୦ ପ୍ରତିଶତ ଉତ୍ପାଦନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ରହିଛି । ଏଥିରେ ୩୦ ପ୍ରତିଶତରୁ ଅଧିକ ଖଣିଜ ପ୍ରଦାର୍ଥ ଅଛି ଯାହା ଅକ୍ଷୟ ଏବଂ ନିମ୍ନ ଅଙ୍ଗାରକାମ୍ଳ ପ୍ରଯୁକ୍ତିବିଦ୍ୟା ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଫ୍ରିକୀୟ ୟୁନିୟନର ମୁଖ୍ୟସ୍ରୋତରେ ଯୋଗଦେବା ବିଶ୍ୱ ତଥା ଆଫ୍ରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।