ଜେଲ୍‌ରେ ଚନ୍ଦ୍ରବାବୁ ନାଇଡୁଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ

ବିଜୟୱାଡା : ରାଜମୁନ୍ଦ୍ରୀ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ତେଲୁଗ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ହତ୍ୟା କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ଅଭିଯୋଗ ହୋଇଛି । ଟିଡିପି ନେତା ତଥା ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ ଗୁରୁବାର ଏପରି ଅଭିଯୋଗ କରିଛନ୍ତି । ଲୋକେଶ ଅଭିଯୋଗ କରିଛନ୍ତି ଯେ କାରାଗାରରେ ବନ୍ଦୀ ଅବସ୍ଥାରେ ତାଙ୍କ ପିତାଙ୍କୁ ହତ୍ୟା କରିବା ଲାଗି ଜଗନ ମୋହନ ରେଡ୍ଡିଙ୍କ ନେତତ୍ୱାଧୀନ ୱାଇଏସ୍‌ଆରସିପି ସରକାର ଷଡଯନ୍ତ୍ର କରିଛନ୍ତି । ଚନ୍ଦ୍ରବାବୁଙ୍କ ଭଳି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କରି ଜଗନ ନିରଙ୍କୁଶ କ୍ଷମତା ଉପଯୋଗ କରିବାକୁ ଚାହୁଁଛନ୍ତି । ଚନ୍ଦ୍ରବାବୁ ରହିଥିବା ଜେଲ୍‌ରେ ମଶା ଉପଦ୍ରବ ବୃଦ୍ଧି ପାଇଥିବାବେଳେ ଏହାର କୌଣସି ପ୍ରତିକାର କରାଯାଉ ନାହିଁ । ନିକଟରେ ଭେଙ୍କଟ ସତ୍ୟନାରାୟଣ ନାମରେ ଜଣେ ବିଚାରାଧୀନ କଏଦୀ ଜେଲ୍‌ରେ ଡେଙ୍ଗୁ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ତେଣୁ ଚନ୍ଦ୍ରବାବୁଙ୍କୁ ଅନୁରୂପ ଢଙ୍ଗରେ ହତ୍ୟା କରିବାର ଯୋଜନା କରାଯାଇଛି । ତେବେ ଜେଲ୍‌ରେ ତାଙ୍କ ପିତାଙ୍କର କୌଣସି ପ୍ରକାର ମୃତ୍ୟୁ ହେଲେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦାୟୀ ରହିବେ ବୋଲି ସେ କହିଛନ୍ତି ।

Comments (0)
Add Comment