ଦାୟିତ୍ଵ ଗ୍ରହଣ ପରେ ପୁରୀରୁ ସମୀକ୍ଷା ଆରମ୍ଭ କଲେ ଭି.କେ. ପାଣ୍ଡିଆନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍  ଶନିବାର ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଭୋର୍ ୪ ରୁ ୬ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା। ନୂଆ ଦାୟିତ୍ଵ ଗ୍ରହଣ ପରେ ଶ୍ରୀ ପାଣ୍ଡିଆନ୍ ପ୍ରଥମଥର ପାଇଁ ଏହି ସମୀକ୍ଷା କରିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ନୂଆବର୍ଷରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ପରିକ୍ରମା ପ୍ରକଳ୍ପ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ ଓ ସେ ଶ୍ରୀମନ୍ଦିର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ।

ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ,ଏସପି, ଓବିସିସି ପରିଚାଳନା ନିର୍ଦ୍ଦେଶକ ଏବଂ ବିଭିନ୍ନ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Comments (0)
Add Comment