ଦିଲ୍ଲୀପ ରାୟ ଓ ମଙ୍ଗଳା କିଷାନଙ୍କ ଭେଟ୍‌ଘାଟ, ବଦଳିବ କି ରାଉଲକେଲାର ରାଜନୀତି

ରାଉରକେଲା: ରାଉଲକେଲା ରାଜନୀତି ଏବେ ସରଗରମ । ଗତ ୨୫ ତାରିଖ ଦିନ ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜୁ ଜନତା ଦଳ ଓ ଅନ୍ୟ ଜଣଙ୍କୁ ପଦଚ୍ୟୁତ କରାଯାଇଥିଲା । ଏହାପରେ ନିଲମ୍ବିତ ଯୁବନେତା ରବୀନ୍ଦ୍ର ପ୍ରଧାନ ଶ୍ରମମନ୍ତ୍ରୀ ସାରଦା ନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରିତି ରଞ୍ଜନ ଘଡେଇଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ । ଏସବୁ ଅଭିଯୋଗକୁ ସମର୍ଥନ ଜଣାଇ କାର୍ଯ୍ୟାନୁଷ୍ଠାନକୁ ଭୁଲ ବୋଲି କହିଥିଲେ ଜିଲ୍ଲାର ପୁରୁଖା ଆଦିବାସୀ ନେତା ତଥା ବିଜେଡି ଉପସଭାପତି ମଙ୍ଗଳା କିଷାନ । ଏହା ଜିଲ୍ଲା ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିଲା । ଏସବୁ ଭିତରେ ଆଜି ଦିଲୀପ-ମଙ୍ଗଳା ଭେଟ, ନୂଆ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ଶନିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଭେଟିଛନ୍ତି ମଙ୍ଗଳା କିଷାନ । ଗତ ଗୁରୁବାର ଶ୍ରୀ କିଷାନ ଗଣମାଧ୍ୟମ ଆଗରେ ଦୁଇମନ୍ତ୍ରୀ ରାଉରକେଲା ବିଧାୟକ ସାରଦା ନାୟକ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡେଇ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ ଆଣିଥିଲେ । ଏମିତିକି ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନକଲେ ଜିଲ୍ଲାରେ ଦଳୀୟ ସଙ୍ଗଠନ ଧ୍ୱଂସ ହେବ ବୋଲି କହିଥିଲେ । ଏହା ପରେପରେ ସେ ଆଜି ଦିଲୀପ ରାୟଙ୍କୁ ଭେଟିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଉଭୟ ବରିଷ୍ଠ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆଗାମୀ ଦିନରେ ଏହା ଜିଲ୍ଲା ରାଜନୀତିକୁ ପ୍ରଭାବିତ କରିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି । ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ ଜିଲ୍ଲା ରାଜନୀତିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରାୟଙ୍କ ଏବେ ବି ଦବ୍‌ଦବା ରହିଥିବାରୁ ଏହି ଭେଟଘାଟ କେଉଁ ମୋଡ ନେଉଛି ତାହା ଖୁବଶୀଘ୍ର ଜଣାପଡିବ ବୋଲି ଅନେକ ଆଶା କରୁଛନ୍ତି ।

Comments (0)
Add Comment