ରବିବାରରେ ରିଲିଜ୍ ହେବ ସଲ୍‌ମାନଙ୍କ ‘ଟାଇଗର୍‌-୩’

ଭୁବନେଶ୍ବର: ଦୀପାବଳି ଅବସରରେ ଏଇ ରବିବାର ଦିନ ରିଲିଜ୍ ହେବାକୁ ଯାଉଛି ସଲ୍‌ମାନ ଖାଁଙ୍କ ପ୍ରଶଂସକଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର୍‌-୩’। ୟଶ୍ ରାଜ୍‌ ଫିଲ୍ମସ ଦ୍ବାରା ନିର୍ମିତ, ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ‘ଟାଇଗର୍‌-୩’ର ନିର୍ଦ୍ଦେଶକ ହେଉଛନ୍ତି ମନୀଶ ଶର୍ମା। ଏଥିରେ ସଲମାନ୍‌ଙ୍କ ସହିତ ଅଛନ୍ତି କ୍ୟାଟ୍ରିନା କୈଫ୍ ଓ ଇମ୍ରାନ୍‌ ହାସ୍‌ମି। ‘ଟାଇଗର୍‌-୩’ ହେଉଛି ୟଶ୍‌ ରାଜ୍‌ ଫିଲ୍ମସର ଗୁପ୍ତଚର ଫିଲ୍ମ ଶୃଙ୍ଖଳାର ପଞ୍ଚମ ତଥା ‘ଟାଇଗର୍‌’ ଶୃଙ୍ଖଳାର ତୃତୀୟ ଫିଲ୍ମ। ଫିଲ୍ମର ଅଗ୍ରିମ ବୁକିଂରୁ ଉତ୍ସାହପ୍ରଦ ସୂଚନା ମିଳିଛି। ଆଜିର ଶେଷ ହିସାବ ଅନୁସାରେ, ଆଡ୍‌ଭାନ୍ସ ବୁକିଂର ପ୍ରଥମ ୫ଦିନରେ କେବଳ ରିଲିଜ୍‌ ଦିନ ପାଇଁ ପ୍ରାୟ ୪ଲକ୍ଷ ୬୨ ହଜାର ୩୨୭ଟି ଟିକେଟ୍ ବିକ୍ରି ହୋଇ ଯାଇଛି, ଯାହାର ମୂଲ୍ୟ ପାଖାପାଖି ୧୨ କୋଟି ୪୦ ଲକ୍ଷ ଟଙ୍କା। ଏହା ଭିତରୁ ୪ଲକ୍ଷ ୩୫ହଜାର ୯୧୩ଟି ଟିକେଟ ୨-ଡି ହିନ୍ଦୀ ପାଇଁ ବୁକିଂ ହୋଇଛି। ଆଉ ୨ଦିନରେ ଏହା ଆହୁରି ଅନେକ ବଢ଼ିଯିବ, ସେଥିରେ ସନ୍ଦେହ ନାହିଁ। କାରଣ ଶେଷ ଆଡ଼କୁ ଟିକେଟ ବୁକିଂ ବହୁଗୁଣରେ ବୃଦ୍ଧିପାଏ। ‘ଟାଇଗର୍-୩’ରେ ହଲିଉଡ୍ ସ୍ତରର ଆକ୍ସନ ରହିଛି। ଏ ଫିଲ୍ମର ଗୋଟିଏ ବଡ଼ ଆକର୍ଷଣ ହେଉଛି ଏଥିରେ ଶାହ୍‌ରୁଖ୍‌ ଖାଁ ଓ ହ୍ରିତ୍ବିକ୍‌ ରୋଶନ ଅତିଥି ଭୂମିକାରେ ଅଛନ୍ତି।

Comments (0)
Add Comment