ଭୁବନେଶ୍ୱର: ପାର୍ବଣ ଋତୁ ପୂର୍ବରୁ ଖୁଚୁରା ଦର କମିବାର ଖୁସି ଖବର ଆସିଛି । ଖୁଚୁରା ବଜାରରେ ବିଭିନ୍ନ ସାମଗ୍ରୀ ଦାମ୍ କମିଛି । ଏହାର ପ୍ରଭାବରେ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୨ ପ୍ରତିଶତକୁ ହ୍ରାସ ପାଇଛି । ପନିପରିବା ଦାମ୍ କମିଥିବାରୁ ଖୁଚୁରା ମୁଦ୍ରାସ୍ଫୀତି କମ୍ ହୋଇଛି । ପାର୍ବଣ ପୂର୍ବରୁ ସାରା ଦେଶର ଏହା ସାଧାରଣ ଗ୍ରାହକମାନଙ୍କ ଲାଗି ଏକ ଖୁସି ଖବର । କିନ୍ତୁ ଓଡ଼ିଶାରେ ମୁଦ୍ରାସ୍ଫୀତି ୫.୮୭% ରହିଛି । ଓଡ଼ିଶା ସହିତ ଆଉ ୪ଟି ରାଜ୍ୟରେ ମୁଦ୍ରାସ୍ଫିତୀ ଅଧିକ ଅଛି । ସେଗୁଡିକ ହେଲା ରାଜସ୍ଥାନ (୬.୫୩%), ହରିଆଣା (୬.୪୯%), କର୍ଣ୍ଣାଟକ (୬%) ଓ ତେଲେଙ୍ଗାନା (୫.୯୭%) ।
ଉଲ୍ଲେଖଥାଉକି,ଗତ ଜୁଲାଇ ଓ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ହାର ଯଥାକ୍ରମେ ୭.୪୪ ପ୍ରତିଶତ ଓ ୬.୮୩ ପ୍ରତିଶତ ଥିଲା । ସେପ୍ଟେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬ ପ୍ରତିଶତ ସୀମା ଭିତରେ ଖୁଚୁରା ଦର ସୀମିତ ରହିବା କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ ବେଶ ସନ୍ତୋଷଜନକ ଖବର । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ସାରା ଦେଶରେ ସେପ୍ଟେମ୍ବରରେ ପନିପରିବା, ଦୁଗ୍ଧ, ଡାଲି, ଅଣ୍ଡା, ଇନ୍ଧନ ଓ ବିଦ୍ୟୁତ ଦାମ୍ କମ୍ ହୋଇଥିବା ବେଳେ ମାଛ ଓ ମାଂସ ଦାମ୍ ବଢ଼ିଛି ।