ଦ୍ରୁତତମ ୧୩ ହଜାର ରନ ସଂଗ୍ରହ କରି ରେକର୍ଡ କଲେ ବିରାଟ କୋହଲି

କଲମ୍ବୋ : ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ୍‌ରେ ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ୧୩ ହଜାର ରନ୍‌ ସଂଗ୍ରହ କରିଛନ୍ତି ବିରାଟ । ସେ ୨୬୭ଟି ଇନିଂସ ଖେଳି ୧୩,୦୦୦ ରନ୍‌ ସଂଗ୍ରହ କରିଛନ୍ତି । ଏସିଆ କପ୍‌ରେ ସୋମବାର ଖେଳା ଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୋହଲି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । କୋହଲି ଏହି ମ୍ୟାଚ୍‌ରେ ୮୪ଟି ବଲ୍‌ରୁ ଶତକ ହାସଲ କରିଥିଲେ । ଏହା ତାଙ୍କ ଦିନିକିଆ କ୍ୟାରିୟରର୍‌ ୪୭ତମ ଶତକ । ମୋଟ୍‌ଉପରେ କୋହଲି ୭୭ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ଏହି ମ୍ୟାଚ୍‌ରେ କୋହଲି ୯୪ଟି ବଲ୍‌ରୁ ୯ଟି ଚୌକା ଓ ୩ଟି ଛକା ସହାୟତାରେ ୧୨୨ ରନ୍‌କରି ଅପରାଜିତ ରହିଥିଲେ । ଦିନିକିଆରେ ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ୧୩,୦୦୦ ରନ୍‌ ସଂଗ୍ରହ କରିବା ରେକର୍ଡ ପୂର୍ବରୁ ଭାରତର ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା । ତେନ୍ଦୁଲକର ୩୨୧ଟି ଇନିଂସରୁ ୧୩ ହଜାର ରନ୍‌ ସଂଗ୍ରହ କରିଥିଲେ । ସେହିପରି ରିକି ପଣ୍ଟିଂ ୩୪୧, କୁମାର ସାଙ୍ଗାକାରା ୩୬୩ ଓ ସନତ ଜୟସୁରିଆ ୪୧୬ଟି ଇନିଂସରୁ ୧୩ ହଜାର ରନ୍‌ ସଂଗ୍ରହ କରିଥିଲେ । ଦିନିକିଆ କ୍ରିକେଟ୍‌ରେ ୧୩ ହଜାର ରନ୍‌ ପୂରଣ କରିବାରେ ବିରାଟ ହେଉଛନ୍ତି ବିଶ୍ୱର ୫ମ ବ୍ୟାଟ୍‌ସମ୍ୟାନ୍‌ ।

Comments (0)
Add Comment