ଭୁବନେଶ୍ୱର: ଦୟା ନଦୀ ଏବଂ ଗଙ୍ଗୁଆ ନାଳକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ରାଜଧାନୀ ଭୁବନେଶ୍ୱରରେ ୫ଟି ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ (ଏସ୍ଟିପି) ନିର୍ମାଣ କରାଯାଇଛି । ଯେଉଁଥିରେ ଦୈନିକ ୧୮୩ ଏମ୍ଏଲ୍ଡି (ମିଲିଅନ୍ ଲିଟର୍ସ ଅଫ୍ ୱାଟର୍ ପର୍ଡେ) ବର୍ଜ୍ୟଜଳ ଟ୍ରିଟ୍ମେଣ୍ଟ କରାଯିବ । ସେହିପରି ସହରରେ ବର୍ଜ୍ୟଜଳ ନିଷ୍କାସନ ପାଇଁ ୯୮୮ କିମିର ସ୍ୱେରେଜ୍ ଲାଇନ୍ ନିର୍ମାଣ କରାଯାଇଛି । ଏହିସବୁ ପଦକ୍ଷେପ ଦ୍ୱାରା ଦୟା ନଦୀ ଏବଂ ଗଙ୍ଗୁଆ ନାଳ ପ୍ରଦୂଷଣ ମାତ୍ରା ହ୍ରାସ ପାଇବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଓଡିଶା ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।
ମାମଲାର ଶୁଣାଣି ଅବସରରେ ଓଡିଶା ହାଇକୋର୍ଟ ଦୟା ନଦୀ ଏବଂ ଗଙ୍ଗୁଆ ନାଳ ପ୍ରଦୂଷଣ ସମ୍ପର୍କରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ, ୫ଟି ଏସ୍ଟିପି ଯଥା, ମେହେରପଲ୍ଲୀ (୫୬ ଏମ୍ଏଲ୍ଡି), ବାସୁଆଘାଇ(୨୦ ଏମ୍ଏଲ୍ଡି), କୋଚିଲାପୁଟ (୪୩.୫୦ ଏମ୍ଏଲ୍ଡି), ପାଇକରାପୁର(୮ ଏମ୍ଏଲ୍ଡି)ରେ ଏବଂ ରୋକଟ (୪୮ ଏମ୍ଏଲ୍ଡି) ବର୍ଜ୍ୟଜଳ ଏହିସବୁ ଏସ୍ଟିପି (ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ) ଜରିଆରେ ପରିଚାଳନା କରାଯିବ । ୯୮୮ କିମି ସ୍ୱେରେଜ୍ ନେଟ୍ୱାର୍କ ମଧ୍ୟରୁ ପୁରୁଣା ନେଟ୍ୱର୍କ ୪୪୪ କିମି ଥିଲାବେଳେ ୫୪୪ କିମିର ନୂଆ ନେଟ୍ୱର୍କ ରହିଛି ।
ଭୁବନେଶ୍ୱରର ୨ ଲକ୍ଷ ୧୮ ହଜାର ୧୨୪ ପରିବାରରୁ ମାତ୍ର ୧ଲକ୍ଷ ୯ ହଜାର ୬୪୪ ପରିବାର ସ୍ୱେରେଜ୍ ନେଟ୍ୱର୍କ ସହ ସଂଯୋଗ କରିଛନ୍ତି । ଅର୍ଥାତ ଆହୁରି ପ୍ରାୟ ୧ ଲକ୍ଷ ପରିବାରଙ୍କ ଘର ସ୍ୱେରେଜ୍ ଲାଇନ ସହ ସଂଯୋଗ ହୋଇପାରିନି । ସମସ୍ତ ପରିବାର କିପରି ସ୍ୱେରେଜ୍ ନେଟ୍ୱାର୍କ ସହ ସଂଯୋଗ କରିବେ ସେଥିପାଇଁ ୱାଟ୍କୋ ଏକ ଡିପିଆର୍ ପ୍ରସ୍ତୁତ କରୁଛି । ବିଡିଏର ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସିଟି କୋର୍ଡିନେସନ୍ କମିଟି ଗଠନ କରାଯାଇଛି । ସହର ମଧ୍ୟରେ ଥିବା ପୋଖରୀଗୁଡିକ ସଫା ପାଇଁ ୱାଟ୍କୋକୁ ପ୍ରସ୍ତାବ ଦିଆଯିବ । ସହର ମଧ୍ୟରେ ଥିବା ଶିଳ୍ପସଂସ୍ଥାଗୁଡିକରୁ ନିର୍ଗତ ବର୍ଜ୍ୟଜଳ କିପରି ଛଡାଯିବ ସେଥିପାଇଁ ଇଡ୍କୋକୁ ପଦକ୍ଷେପ ନେବାକୁ କୁହାଯାଇଛି ।
ବର୍ଜ୍ୟଜଳ ଟ୍ରିଟ୍ମେଣ୍ଟ ପରେ ତାହାକୁ ବଗିଚା କାର୍ଯ୍ୟରେ ପୁନର୍ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯେତେ ସେସ୍ପୁଲ୍ ଗାଡି ରହିଛି ସେସବୁ ବିଏମ୍ସିରେ ପଞ୍ଜିକୃତ ହେବେ । ସେମାନଙ୍କୁ ଜିଓ-ଟ୍ୟାଗ୍ କରାଯିବ । ଯଦି କୌଣସି ସେସ୍ପୁଲ୍ ଗାଡି ନିୟମ ଉଲ୍ଲଂଘନ କରି ନଦୀ କିମ୍ବା ନାଳରେ ବର୍ଜ୍ୟଜଳ ଛାଡନ୍ତି ତାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସତ୍ୟପାଠରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ସହରରେ ବର୍ତ୍ତମାନ ସୁଦ୍ଧା ୧୨୨ଟି କମ୍ୟୁନିଟି ପାଇଖାନା, ୫୭ଟି ପବ୍ଲିକ୍? ପାଇଖାନା, ୨୫ଟି ଇ-ପାଇଖାନା ଏବଂ ୩ଟି ମୋବାଇଲ୍? ପାଇଖାନା ନିର୍ମାଣ କରାଯାଇଛି । ଜାଗା ମିଶନରେ ଆହୁରି ୬୩ଟି କମ୍ୟୁନିଟି ପାଇଖାନା ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି ।