ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ନୂଆ ସଦସ୍ୟ । ଏମାନେ ହେଲେ ହଳେ ସୁନେଲି ହାତିଆ ତାମାରିନ୍ ମାଙ୍କଡ ଓ ହଳେ ଗୁଣ୍ଡୁଚି ମାଙ୍କଡ । ମାଙ୍କଡ ପ୍ରଜାତିର ୨ ହଳ ଆକର୍ଷଣୀୟ ବନ୍ୟପ୍ରାଣୀଙ୍କୁ ହାଇଦ୍ରାବାଦ୍ ସ୍ଥିତ ଜନ୍ ଗରୋଭ୍ର୍ସ ଫାର୍ମରୁ ଅଣାଯାଇଛି । ଏମାନଙ୍କୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସର ସି୍ଥତ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ମାସକ ପାଇଁ ରଖାଯାଇଛି । ରୀତିମତ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନେ ନନ୍ଦନକାନନ ପରିବେଶ ସହିତ ଖାପ ଖୁଆଇବା ପରେ ଖୁଆଡରେ ରଖାଯିବ । ପରେ ଏହି ପ୍ରଜାତିର ବଂଶ ବୃଦ୍ଧି ଲାଗି ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ପୂର୍ବରୁ ନନ୍ଦନକାନନରେ ମାତ୍ର ଗୋଟିଏ ସୁନେଲି ହାତିଆ ତାମାରିନ୍ ଥିଲା । ଏବେ ଆଉ ୨ଟି ଆସିବା ଫଳରେ ଏଠାରେ ତାମାରିନ୍ଙ୍କ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ସେହିଭଳି ନୂଆ ଅତିଥି ଭାବେ ଯୋଡି ହୋଇଥିବା ୨ ଗୁଣ୍ଡୁଚି ମାଙ୍କଡଙ୍କୁ ମିଶାଇଲେ ଏବେ ଏମାନଙ୍କ ମୋଟ ସଂଖ୍ୟା ୫ ରେ ପହଞ୍ଚିଛି । ଏକାକୀ ତଥା ଜୀବନସାଥୀ ବିନା ନନ୍ଦନକାନନରେ ରହିଥିବା ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ଅଧିନରେ ଏହି ପ୍ରଜାତିର ମାଙ୍କଡଙ୍କୁ ଏଠାକୁ ଅଣାଯାଇଛି ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି ।