ଭୁବନେଶ୍ୱର: ଖାଲି ଦିନରେ ନୁହେଁ ଏବେ ରାତିରେ ମଧ୍ୟ ନନ୍ଦନକାନନ ବୁଲିବାର ମଜା ମଳିବାକୁ ଯାଉଛି ।ଏବେ ନନ୍ଦନକାନନ ଚିଡିଆଖାନାରେ ଅନେକ ରାତ୍ରିଚର ଜୀବଜନ୍ତୁ ରହିଛନ୍ତି । ସେମାନଙ୍କ ଚାଲିଚଳନ ସମ୍ପର୍କରେ ଲୋକଙ୍କୁ ଜାଣିବାର ସୁଯୋଗ ଦେବାକୁ ‘ନାଇଟ୍ଆଉଟ୍ ଆଟ୍ ଜୁ’ ଆରମ୍ଭ ଲାଗି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଛି । ଯଦି ଏହି ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରନ୍ତି, ତାହାହେଲେ ନନ୍ଦନକାନନ ଚିଡିଆଖାନା ପର୍ଯ୍ୟଟକଙ୍କ ପାଇଁ ରାତିରେ ଖୋଲାରହିବ । ଏଥିରେ ପର୍ଯ୍ୟଟକଙ୍କୁ ଚିଡିଆଖାନା ସମ୍ପର୍କିତ ଫିଲ୍ମ ସୋ’ ଦେଖାଇବା ସହ ରାତ୍ରୀଚର ଜୀବଜନ୍ତୁଙ୍କ ଏନକ୍ଲୋଜର ବୁଲିବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ । ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ବନ ବିଭାଗ ୨୦ ବର୍ଷିଆ ମାଷ୍ଟର ପ୍ଲାନ୍ କରିଛି । ସେଥିରେ ନନ୍ଦନକାନନ ଚିଡ଼ିଆଖାନାର କଳେବର ବୃଦ୍ଧି ପାଇବ । ବର୍ତ୍ତମାନ ବଟାନିକାଲ ଗାର୍ଡେନକୁ ମିଶାଇ ପ୍ରାଣୀ ଉଦ୍ୟାନ ମୋଟ ୪୩୭ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ରହିଛି । ତେବେ ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ ହେଲେ ଏହାର ପରିସୀମା ୧୦୪୩ ହେକ୍ଟରକୁ ବଢ଼ିଯିବ । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ମୋହର ଲାଗିଲେ, ନନ୍ଦନକାନନ ସହ କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ସଂରକ୍ଷିତ ଜଙ୍ଗଲ ମିଶିଯିବ । ପ୍ରସ୍ତାବିତ ସମ୍ପ୍ରସାରିତ ନନ୍ଦନକାନନରେ ଅନେକ ନୂଆ ବିଶ୍ୱସ୍ତରୀୟ ସଫାରୀ ରହିବ । ପୁରୁଣା ଏନକ୍ଲୋଜରର ଆଧୁନିକୀକରଣ ହେବ ।
ସୂଚନା ଅନୁଯାୟୀ ନନ୍ଦନକାନନକୁ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ନୂତନ ଯୋଜନାରେ ପର୍ଯ୍ୟଟକଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ବଗିଚା ଓ ଲ୍ୟାଣ୍ଡସ୍କପିଂ, ଟନେଲ ଆକ୍ୱାରିୟମ୍, ୱାଟର ବାର୍ଡ ଆଭିଆରି, ଦେଶ ବିଦେଶରୁ ନୂତନ ପ୍ରାଣୀ, ଇମର୍ସିଭ୍ ଏନକ୍ଲୋଜର ଓ ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ୱତନ୍ତ୍ର ହବ୍ ଭାବେ ବିକାଶ କରିବା ପାଇଁ ଲକ୍ଷ୍ୟ ରହିଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୨୦୨୩ରୁ ୨୦୨୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୫ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ । ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍ ଭାବେ ବିକାଶ କରିବାକୁ ମଧ୍ୟ ଯୋଜନା ରହିଛି । ଏଥିରେ ଆକ୍ଟିଭିଟିଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ୱତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’, ‘ଜୁ ଆମ୍ବାସାଡର’ ପରି ଯୋଜନା ରହିଛି । ଏହାବ୍ୟତୀତ ‘ସିଟିଜେନ୍ ସାଇନ୍ସ’, ‘ତୁମ ଗଛକୁ ଜାଣ’ ଆଦି କାର୍ଯ୍ୟକ୍ରମ କରାଯିବ ।