ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ, ୨ୟ ସ୍ଥାନରେ ଭୂପେଶ ବଘେଲ୍‌

ନୂଆଦିଲ୍ଲୀ: ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍‌ ଅଫ ଦି ନେସନ ସର୍ଭେରୁ ଏହା ଜଣାପଡ଼ିଛି । ୨୦୨୩ ଜୁଲାଇ ୧୫ରୁ ୨୦୨୩ ଅଗଷ୍ଟ ୧୪ ମଧ୍ୟରେ କରାଯାଇଥିବା ଜନମତ ସର୍ଭେରୁ ଏହି ଫଳାଫଳ ଆସିଛି । ସର୍ଭରେ ସାମିଲ ହୋଇଥିବା ମୋଟ୍‌ ୩,୭୬୦ ମତଦାତାଙ୍କ ମଧ୍ୟରୁ ୬୧.୩ % ନବୀନଙ୍କୁ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଛତିଶଗଡ, ଦିଲ୍ଲୀ, ଗୁଜରାଟ ଏବଂ ଆସାମରେ ତାଙ୍କ ପ୍ରତିପକ୍ଷଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।
ଏହି ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଥିବା ବେଳେ ତାଙ୍କ ପ୍ରତି ରାଜ୍ୟର ୬୧.୩% ଲୋକଙ୍କ ସମର୍ଥନ ରହିଛି । ତେବେ ଅଗଷ୍ଟ ୨୦୨୨ରେ ହୋଇଥିବା ମୁଡ ଅଫ ନେସନ ସର୍ଭରେ ସେ ୭୮.୧ % ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରିଥିଲାବେଳେ ୨୦୨୩ ଜାନୁଆରୀରେ ତାଙ୍କୁ ୭୩.୨% ଭୋଟ୍‌ ମିଳିଥିଲା । ଏହିକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କୁ ତାଙ୍କ ରାଜ୍ୟର ୫୯.୧ % ଲୋକ ସମର୍ଥନ କରିଛନ୍ତି । ବର୍ଷକ ତଳେ ତାଙ୍କୁ ୫୩.୩ % ଓ ୨୦୨୩ ଜାନୁଆରୀରେ ୫୫.୭% ଭୋଟ ମିଳିଥିଲା । ଅର୍ଥାତ୍‌ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଲୋକପ୍ରିୟତାର ଗ୍ରାଫ୍‌ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଏହି ବର୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କୁ ଦିଲ୍ଲୀର ୫୭.୭% ଲୋକଙ୍କ ସମର୍ଥନ ମିଳିଛି । ୪ର୍ଥ ସ୍ଥାନରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ୫ମ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।
ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଦେଶରେ ମୋଟ ୧,୩୪,୪୮୭ ମତଦାତାଙ୍କ ମଧ୍ୟରୁ ୪୩ % ଯୋଗୀଙ୍କୁ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଛନ୍ତି । କେଜ୍ରିୱାଲ ହେଉଛନ୍ତି ଦେଶରେ ଦ୍ୱିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ୧୯% କେଜ୍ରିୱାଲଙ୍କ ସପକ୍ଷରେ ଭୋଟ୍‌ ଦେଇଛନ୍ତି ।

Comments (0)
Add Comment