ନରେଶ ଗୋୟଲଙ୍କ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ସହ ତାଙ୍କ ପରିବାର ସଦସ୍ୟ ତଥା କମ୍ପାନୀର ଲଣ୍ଡନ, ଦୁବାଇ ଏବଂ ଭାରତରେ‌ ପ୍ରାୟ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଜବତ ସମ୍ପତ୍ତି ମଧ୍ୟରେ ୧୭ ଫ୍ଲାଟ, ବଙ୍ଗଳା ଏବଂ ବାଣିଜ୍ୟିକ ପରିସର ରହିଛି। ଲଣ୍ଡନ, ଦୁବାଇ ଏବଂ ଭାରତର ବିଭିନ୍ନ ସହରରେ ଥିବା ଏହି ସମ୍ପତ୍ତି ଗୋୟଲ, ତାଙ୍କ ପତ୍ନୀ ଅନୀତା ଏବଂ ପୁଅ ନିବାନଙ୍କ ନାମରେ ଜେଟ୍ ଏୟାର ପିଭି ଲିମିଟେଡ ଏବଂ ଜେଟ୍ ଏଣ୍ଟରପ୍ରାଇଜେସ ପିଭି ଲିମିଟେଡ ଭଳି ବିଭିନ୍ନ କମ୍ପାନୀ ନାମରେ ଥିଲା ବୋଲି ଏକ‌ ବିବୃତ୍ତିରେ ଇଡି କହିଛି ।

ମନି ଲଣ୍ଡରିଂ ଅଭିଯୋଗରେ ଇଡି ସେପ୍ଟେମ୍ବର ୧ରେ ଗୋୟଲଙ୍କୁ ଗିରଫ କରିଥିଲା। ମଙ୍ଗଳବାର ମୁମ୍ବାଇର ଏକ ସ୍ୱତନ୍ତ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) କୋର୍ଟରେ କେନ୍ଦ୍ରୀୟ ସଂସ୍ଥା ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।ବ୍ୟାଙ୍କର ଅଭିଯୋଗ ମୁତାବକ, ଜେଟ୍‌ ଏୟାରଓ୍ୱେଜ୍‌କୁ ୮୪୮ କୋଟି ଟଙ୍କାର କ୍ରେଡିଟ୍‌ ଲିମିଟ୍‌ ଓ ଲୋନ୍ ପ୍ରଦାନ କରାଯାଇଥିଲା। ଏଥିରୁ ୫୩୮ କୋଟି ଟଙ୍କା ବାକି ରହିଛି। ଏହି ଅଭିଯୋଗକୁ ଆଧାର କରି ଇଡି ଆଜି ଜେଟ୍‌ ଏୟାରଓ୍ୱେଜର ସମ୍ପତ୍ତି ଜବତ କରିଛି।

Comments (0)
Add Comment