ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଇସା ଦେଇ ଓଡ଼ିଶା କଂଗ୍ରେସକୁ କିଣି ରଖିଛନ୍ତି : ସୁରେଶ ରାଉତରାୟ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନିଜ ଦଳ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ହେଉଛି କଂଗ୍ରେସ ଦଳ ପକ୍ଷରୁ ମନ୍ମଥ ରାଉତରାୟଙ୍କୁ ନିଲମ୍ବନ କରାଯାଇଛି । ନିକଟରେ ସେ କଂଗ୍ରେସ ଟିକେଟ୍‌ରୁ ଲଢ଼ିବେ ନାହିଁ ବୋଲି ମନ୍ମଥ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଏନେଇ ସୁରେଶ ରାଉତରାୟ ମଧ୍ୟ ତାଙ୍କ ପୁଅ ଶୃଙ୍ଖଳା ଭଙ୍ଗ କରିଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ ପୁଅ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲେ ତାଙ୍କର କୌଣସି ବିରୋଧ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ । ତେବେ ଆଜି କଂଗ୍ରେସ ଦଳ ପକ୍ଷରୁ ତାଙ୍କ ପୁଅକୁ ନିଲମ୍ବନ କରାଯିବାକୁ ସହଜରେ ଗ୍ରହଣ କରିନାହାନ୍ତି ସେ । ଏହି ପ୍ରସଙ୍ଗରେ ମତ ରଖି ସୁରେଶ ରାଉତରାୟ କହିଛନ୍ତି ଯେ, ସାନପୁଅକୁ ନିଲମ୍ବନ କରିବା ମୋ ପ୍ରତି ଅସମ୍ମାନ । ମୋତେ ଦଳ ଅପମାନ କରିଛି । ନିଲମ୍ବନ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କଡ଼ା ସମାଲୋଚନା କରିଛନ୍ତି ସେ । ସେ ଦଳ ଭିତରେ କିଏ ବୋଲି ସୁର ପ୍ରଶ୍ନ କରିଛନ୍ତି । ମନ୍ମଥ କିଛି ଭୁଲ କରିନାହିଁ, ଠିକ୍‌ ସମୟରେ ଜବାବ ଦିଆଯିବ ବୋଲି କହିଛନ୍ତି ସୁରେଶ ରାଉତରାୟ । ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଇସା ଦେଇ ଦଳକୁ କିଣି ରଖିଥିବା କହିଛନ୍ତି ସୁରେଶ । କମିଟିରେ ମନଇଛା ଲୋକଙ୍କୁ ରଖାଯାଇଛି । ଯେଉଁମାନେ କଂଗ୍ରେସ କମିଟିରେ ଅଛନ୍ତି ସେମାନେ, ଦିନେ ହେଲେ କଂଗ୍ରେସ ଅଫିସ ଆସୁନାହାନ୍ତି । ଏହାଛଡ଼ା ଦଳରେ କଣ ଚାଲିଛି ସବୁ ଜାଣିଛି, ଛିନଛତ୍ର କରିବାକୁ କମ୍‌ ସମୟ ଲାଗିବ ବୋଲି କହିଛନ୍ତି ସୁର ।

Comments (0)
Add Comment