ନୂଆଦିଲ୍ଲୀ: କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଚଳିତମାସ ୧୫ତାରିଖରେ ଓଡ଼ିଶା ସମେତ ୫ଟି ରାଜ୍ୟର ମୋଟ୍ ୩୯ଟି କୋଇଲା ଖଣିର ବ୍ୟବସାୟିକ ନିଲାମ କରାଯିବ କରାଯିବ ବୋଲି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅଷ୍ଟମ ପର୍ଯ୍ୟାୟରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ଖଣିଗୁଡ଼ିକ ନିଲାମ ହେବ। ଏଥିରେ ଓଡ଼ିଶାର ସର୍ବାଧିକ ୧୯ଟି କୋଇଲା ଖଣି ନିଲାମ ହେବ । ଏଥିରୁ ୮ଟି ଖଣି ସମ୍ପୂର୍ଣ୍ଣ ଖନନଯୋଗ୍ୟ ଅବସ୍ଥାରେ ରହିଛି । ବାକି ୧୧ଟି ଆଂଶିକ ଖନନଯୋଗ୍ୟ ରହିଛି।
ଯେଉଁମାନେ ନିଲାମରେ ସଫଳ ହେବେ ସେମାନଙ୍କ ପାଇଁ କୋଇଲା ମନ୍ତ୍ରଣାଳୟ ଏକ ‘ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ସିଷ୍ଟମ’ ପୋର୍ଟାଲ ପ୍ରସ୍ତୁତ କରିଛି । ସେମାନଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ଖଣି ନିଲାମ ଅଧିକାର ଓ ଅନୁମତି ପତ୍ର ପ୍ରଦାନ କରାଯିବ । ସଫଳ ନିଲାମଧାରୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରକଳ୍ପ ମନିଟରିଂ ୟୁନିଟ୍ ନିଯୁକ୍ତ କରାଯାଇଛି ।
ଏହି ନିଲାମ ଫଳରେ କୋଇଲା ଖଣି ସମୃଦ୍ଧ ରାଜ୍ୟଗୁଡ଼ିକର ରାଜସ୍ୱ ବୃଦ୍ଧି ପାଇବ । ଉତ୍ତୋଳନ ହେଉଥିବା କୋଇଲା ଉପରେ ରାଜ୍ୟଗୁଡ଼ିକ ରୟାଲିଟି ପାଉଛନ୍ତି । ରାଜସ୍ୱ ବୃଦ୍ଧି ଫଳରେ ଆଂଚଳିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏହାଦ୍ୱାରା ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ତଥା ରୋଜଗାର ସୁବିଧା ମିଳିବ ।