ନୂଆ ଯୋଜନା: ପାନବରଜ ଓ କିଆଫୁଲ ଚାଷୀଙ୍କୁ ମିଳିବ ସରକାରୀ ସହାୟତା

ଭୁବନେଶ୍ୱର: ରାଜ୍ୟରେ ଅତିକମ୍‌ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ପାନ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଯୋଜନାର ସ୍ୱତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏହି ପାନ ବରଜ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ପାନ ବରଜ ଥିବା ଚାଷୀଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ୍‌ ପିଛା ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଜଣେ ଚାଷୀକୁ ସର୍ବାଧିକ ଦୁଇଟି ୟୁନିଟ୍‌ ପାଇଁ ସହାୟତା ମିଳିବ । ପାନ ଚାଷ ପାଇଁ କିଶାନ୍‌ କ୍ରେଡିଟ୍‌ କାର୍ଡ ଜରିଆରେ ବିନା ସୁଧରେ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାନ ପତ୍ର ପ୍ରକ୍ରିୟାକରଣ ୟୁନିଟ୍‌ଗୁଡ଼ିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରିହାତି ଯୋଗାଇ ଦିଆଯିବ । ଏଥିପାଇଁ ଆପିକଲ୍‌ ପକ୍ଷରୁ ଏକ ଡିପିଆର ପ୍ରସ୍ତୁତ କରାଯିବ । ପାନ ପତ୍ର ବ୍ୟବସାୟରେ ଜିଏସ୍‌ଟି ଲାଗୁ ସମ୍ପର୍କରେ ଜିଏସ୍‌ଟି ଆୟୁକ୍ତଙ୍କୁ ଠାରୁ ସ୍ପଷ୍ଟୀକରଣ ମଗାଯିବା ସହିତ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏଥିପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ ।
ଗଞ୍ଜାମର କିଆଫୁଲ ଚାଷୀଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯିବ । ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟ୍‌ରୁ କିଆଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ଦିଆଯିବ । କିଆଫୁଲ ଚାଷ ସ୍ଥାନଗୁଡ଼ିକର ସାଇଣ୍ଟିଫିକ୍‌ ମ୍ୟାପିଂ କରାଯାଇ ଏହି ସହାୟତା ଦିଆଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ପୁରୀ ଓ ଗଞ୍ଜାମ ଗସ୍ତରେ ଥିବା ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସମ୍ପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ସେସବୁର ସମାଧାନ ପାଇଁ ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉକ୍ତ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ, ସମବାୟ ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment