ନ୍ୟୁଜ୍‌ ପୋର୍ଟାଲର ମାଲିକଙ୍କୁ ୩ ଦିନ ରିମାଣ୍ଡ ଅନୁମତି

ଭୁବନେଶ୍ବର : ସରକାରୀ ଅଫିସ୍‌ରୁ ବିଭିନ୍ନ କ୍ଲିୟରାନ୍ସ କରାଇଦେବାର ଆଳ ଦେଖାଇ ବିଲ୍ଡରଙ୍କଠାରୁ କୋଟିଏ ଟଙ୍କା ଠକେଇ କରିବା ଅଭିଯୋଗରେ ଏକ ନ୍ୟୁଜ୍‌ ପୋର୍ଟାଲର ମାଲିକ ସୁରଜିତ କୁମାର ଧଳଙ୍କୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗତକାଲି ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସହ ଇଓଡବ୍ଲୁ ୫ ଦିନ ପାଇଁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଇଓଡବ୍ଲୁ ଆବେଦନକୁ ଗ୍ରହଣ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

କୋଟିଏ ଟଙ୍କା ଠକେଇ ଘଟଣାରେ ସୋମବାରରୁ ବୁଧବାର ପର୍ୟ୍ୟନ୍ତ ସୁରଜିତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ଇଓଡବ୍ଲ୍ୟୁ । ସୁରଜିତ ଧଳ ବିଲଡର କଳିଙ୍ଗ କେଶରୀ ରଥଙ୍କୁ ବିଭିନ୍ନ ପ୍ରକଳ୍ପର ଅନୁମୋଦନ ପାଇଁ ବିଡିଏର ଅନୁମତି କରାଇଦେବାକୁ ପ୍ରଲୋଭନ ଦେଇଥିଲେ । ଏଥିପାଇଁ କୋଟିଏ ଟଙ୍କା ସହ ଦୁଇଟି ଦାମୀ ଗାଡି ନେଇଥିଲେ । କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଆଇପିସିର ୪୨୦, ୪୬୭, ୪୬୮, ୪୭୧ ଧାରା ଅନୁସାରେ ସୁର୍ଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଅନୁସାରେ ଗତବର୍ଷ ନଭେମ୍ବର ୧୪ତାରିଖରେ ବିଲ୍ଡର୍‌ କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଠକେଇର ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ଇଓଡବ୍ଲ୍ୟୁ ତଥ୍ୟ ଅନୁସାରେ, ବିଲ୍ଡର୍‌ କଳିଙ୍ଗ କେଶରୀଙ୍କର ଭୁବନେଶ୍ୱର ଏବଂ ପୁରୀରେ ଏକାଧିକ ପ୍ରୋଜେକ୍ଟ କାମ ଚାଲିଛି। ସୁରଜିତ୍‌‌ ଫ୍ଲାଟ୍‌‌ ବୁକ୍‌‌ କରିବା ବାହାନାରେ ତାଙ୍କ ଅଫିସ୍‌‌କୁ ଯାଇଥିଲେ। ନିଜକୁ ଜଣେ ବରିଷ୍ଠ ସାମ୍ବାଦିକ ଭାବେ ପରିଚୟ ଦେବା ସହ ସେ ଏକ ନ୍ୟୁଜ୍‌ ‌ପୋର୍ଟାଲ ଓ ଖବରକାଗଜ ମାଲିକ ବୋଲି କହିଥିଲେ। ବିଭିନ୍ନ ନେତା-ମନ୍ତ୍ରୀ ଏବଂ ସରକାରୀ ଅଫିସ୍‌‌ରଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ତେଣୁ ନିର୍ମାଣ କାମ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ କାର୍ୟ୍ୟାଳୟରୁ ପ୍ରମାଣପତ୍ର ସେ ବେଶ୍‌ ଆରାମରେ କରାଇଦେ‌ବେ ବୋଲି କହିଥିଲେ। ଏମିତି ଆଶ୍ବାସନା ଦେଇ ସେ କିଳଙ୍ଗଙ୍କ ପାଖରୁ ପାଖାପାଖି କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ।

Comments (0)
Add Comment