ମୁମ୍ବାଇ: ନିକଟରେ ଅଭିନେତ୍ରୀ ନୟନତାରା ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ନିଜର ଆକାଉଣ୍ଟ ଖୋଲିଥିଲେ । ଇନ୍ଷ୍ଟ୍ରାଗ୍ରାମ୍କୁ ଆସିବାର ମାତ୍ର ୧୦ ଘଣ୍ଟା ଭିତରେ ୧୦ ଲକ୍ଷ ଲୋକ ତାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି । ଏଥି ସହିତ ସେ କାଟ୍ରିନା କୈଫ୍ଙ୍କୁ ପଛରେ ପକାଇ ଭାରତର ପ୍ରଥମ ଅଭିନେତ୍ରୀ ଭାବେ ଗୋଟିଏ ଦିନରେ ଦଶ ଲକ୍ଷ ଅନୁଗାମୀ ହାସଲ କରିପାରିଛନ୍ତି । ନୟନତାରାଙ୍କର ଅନୁଗାମୀ ସଂଖ୍ୟା ଇତିମଧ୍ୟରେ ୧୯ ଲକ୍ଷ ଟପିଲାଣି । ମୁକ୍ତିଲାଭ ଅପେକ୍ଷାରେ ଥିବା କିଙ୍ଗ୍ ଖାଁଙ୍କ ବହୁଚର୍ଚ୍ଚିତ ତ୍ରିଭାଷୀ ସିନେମା ‘ଯବାନ୍’ରେ ନୟନତାରାଙ୍କୁ ଦେଖିବାକୁ ମିଳିବ । ସେ ସାଧାରଣତଃ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିବାକୁ ପସନ୍ଦ କରୁଥିବାରୁ ଆଜି ଯାଏଁ ଇଷ୍ଟାଗ୍ରାମକୁ ଆସିନଥିଲେ । ସାମାଜିକ ଗଣମାଧ୍ୟମକୁ ଆସିବା ବିଚାରକୁ ସେ ପ୍ରଥମେ ନାପସନ୍ଦ କରୁଥିଲେ ।
ହେଲେ ‘ଯବାନ୍’ ସିନେମାର ପ୍ରଚାର ପାଇଁ ସେ ଇନ୍ଷ୍ଟାଗ୍ରାମ୍କୁ ଆସିଥିବେ ଜଣାପଡିଛି । ଇନ୍ଷ୍ଟାଗ୍ରାମ୍ରେ ସେ ଛାଡ଼ିଥିବା ପ୍ରଥମ ରିଲ୍ରେ ତାଙ୍କର ଯାଆଁଳା ପୁଅଙ୍କୁ ଧରି ସେ ଚାଲୁଥିବା ଭିଡିଓ ଦେଖିବାକୁ ମିଳିଥିଲା । ଅଟଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଶାହରୁଖ ଖାନ୍ ଷ୍ଟାରର ସିନେମା ଯବାନ୍ ସିନେମା ଆସନ୍ତା ୭ ତାରିଖରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି ।