ପରଲୋକ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ଓଡ଼ିଶାର ଅଣକଂଗ୍ରେସ ରାଜନୀତିର ଅନ୍ୟତମ ଜଣାଶୁଣା, ଟାଣୁଆ ତଥା ଆଗଧାଡ଼ିର ନେତା ତଥା ୭ ଥରର ବିଧାୟକ ଓଡ଼ିଶାର ପୂର୍ବତନ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି । ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କର ଶନିବାର ଦିନ ଭୁବନେଶ୍ୱରସ୍ଥିତ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟା ୭ଟା ୩୧ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରାଜଶ୍ରୀ ପାତ୍ର, ଦୁଇ ପୁଅ ଓ ଝିଅ ଉପସ୍ଥିତ ଥିଲେ । ସ୍ୱର୍ଗତଃ ପାତ୍ର ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନକୁ ଅଣାଯାଇଛି ସେଠାରେ ସାଧାରଣଜନତା ସ୍ୱର୍ଗତ ପାତ୍ରଙ୍କୁ ଶେଷ ଦର୍ଶନ କରିଛନ୍ତି । ସେଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଗଣ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ରାଜନେତା ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପରେ ବିଧାନସଭା ଓ ବିଜେଡି କାର୍ଯ୍ୟାଳୟକୁ ନିଆଯିବାର କାର୍ଯ୍ୟକ୍ରମ ଥିବାବେଳେ ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ କିଛି ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଶେଷ ଦର୍ଶନ କରିବେ । ଏହାପରେ ଆଜି ଦିଗପହଣ୍ଡିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଆଗକୁ ସାଧାରଣ ନିର୍ବାଚନ ଆସୁଥିଲା ବେଳେ ବିଜେଡି ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ଗଞ୍ଜାମ ଭଳି ଜିଲ୍ଲାର ଏହି ଅପ୍ରତିଦ୍ୱନ୍ଦୀ ନେତାଙ୍କର ବିୟୋଗ ଗଞ୍ଜାମ ବିଜେଡି ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
୧୯୪୮ ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟନାରାୟଣ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ୨୦୦୯ରୁ ଲଗାତାର ନିର୍ବାଚିତ ହୋଇ ଆସିଛନ୍ତି । ପ୍ରଥମେ ଜନତା ଦଳ ଓ ପରେ ବିଜେଡିର ଆଗଧାଡିରେ ନେତା ଭାବେ ସୂର୍ଯ୍ୟ ପାତ୍ର ଜଣାଶୁଣା ଥିଲେ । ୧୯୯୦ ମସିହାରେ ଜନତା ଦଳ, ସିପିଆଇ ଓ ସିପିଆଇଏମ୍‌ ତ୍ରିଦଳୀୟ ମେଣ୍ଟର ପ୍ରାର୍ଥୀ ହୋଇ ମୋହନା ନିର୍ବାଚନମଣ୍ଡଳୀରୁ ସେ ବିଜୟ ଲାଭ କରିଥିଲେ ଏବଂ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶ୍ରୀ ପାତ୍ର ୧୨ଥର ବିଭିନ୍ନ ମନ୍ତ୍ରୀ ପଦରେ ରହିବା ପରେ ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ୨୦୧୯ ଜୁନ୍‌ ୧ତାରିଖରେ ସେ ବାଚସ୍ପତି ପଦଭାର ଗ୍ରହଣ କରିଥିଲେ । ୨୦୨୨ ଜୁନ୍‌ ୪ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଥିଲେ । ବାଚସ୍ପତି ପଦରୁ ଇସ୍ତଫା ଦେବା ପରଠାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଶ୍ରୀ ପାତ୍ର ପ୍ରତ୍ୟକ୍ଷ ରାଜନୀତି ଠାରୁ ଦୂରେଇ ରହିଥିଲେ ।
ସ୍ୱର୍ଗତ ପାତ୍ର ଜଣେ ସଫଳ ରାଜନୀତିଜ୍ଞ ସହିତ ସହିତ ଆଇନଜୀବୀ ଓ ସମାଜସେବୀ ଭାବେ ପରିଚିତ ଥିଲେ । ଛାତ୍ର ଜୀବନରୁ ସେ ରାଜନୀତିରେ ପାଦ ଦେଇଥିଲେ । ବ୍ରହ୍ମପୁରରେ ସେ ତାଙ୍କର ସ୍କୁଲ ଓ କଲେଜ ଶିକ୍ଷା ସମାପ୍ତ କରିଥିଲେ । ଖଲ୍ଲିକୋଟ କଲେଜରେ ଛାତ୍ର ସଂସଦ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହାପରେ ୧୯୭୭ରେ ସେ ବ୍ରହ୍ମପୁର ପୌରପାଳିକାର କାଉନ୍‌ସିଲର୍‌ ଭାବେ ନିର୍ବାଚିତ ହୋଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ । ୨୦୦୦ ମସିହାରୁ ୨୦୧୩ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଗୃହ କମିଟି ସହିତ ଅନ୍ୟାନ୍ୟ କମିଟିର ସଦସ୍ୟ ଭାବେ ରହିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ୍‌ ସଭ୍ୟ ମଧ୍ୟ ରହିଥିଲେ । ୧୯୯୦ ଜୁଲାଇ ୭ତାରିଖରେ ସେ ପ୍ରଥମ କରି ବିଜୁ ବାବୁଙ୍କ ମନ୍ତ୍ରିମଣ୍ଡଳରେ ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ହୋଇଥିଲେ । ଏହାପରେ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ଶକ୍ତି, ପରିବେଶ, ପର୍ଯ୍ୟଟନ, ସଂସ୍କୃତି, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ସୂଚନା ଓ ଲୋକସମ୍ପର୍କ, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଭଳି ବିଭିନ୍ନ ବିଭାଗ ମନ୍ତ୍ରୀ ଦାୟିତ୍ୱରେ କାର୍ଯ୍ୟ ରହିଥିଲେ ।

Comments (0)
Add Comment